ଯାଜପୁର ଅଫିସ,୩୦।୧: ଯାଜପୁରରୋଡ୍ ରମ୍ପାସ ଅଞ୍ଚଳକୁ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ଘରକୁ ବାବା ବେଶରେ ଆସି ଧରାପଡ଼ି ନିର୍ଧୂମ ଛେଚା ଖାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର ଜଣେ ଯୁବକ ଭୁବନେଶ୍ବରର ଏକ ଘରୋଇ କଲେଜରେ ପାଠ ପଢ଼ନ୍ତି। ସେହି କଲେଜରେ ଯାଜପୁରରୋଡ ରମ୍ପାସର ଯୁବତୀ ଜଣକ ମଧ୍ୟ ପାଠ ପଢୁଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମିକାଙ୍କ ବାହାଘର ଠିକ୍ ହୋଇଥିବା ନେଇ ଯୁବକ ଜଣକ କେଉଁଠୁ ଖବର ପାଇଥିଲେ। ଏହାସହ ଯୁବତୀଙ୍କ ମା ଗୁଣିଗାରେଡ଼ି ଉପରେ ବିଶ୍ବାସ ରଖିଥିବା ନେଇ ଯୁବକ ଜାଣିଥିଲେ। ଏହାର ସୁଯୋଗରେ ଯୁବକ ଜଣକ ବାବା ବେଶ ହୋଇ ଶନିବାର ମଧ୍ୟାହ୍ନରେ ରମ୍ପାସ ଅଞ୍ଚଳକୁ ଆସିଥିଲେ। ଅଞ୍ଚଳବାସୀ ବାବାଙ୍କ ହାବଭାବ ଦେଖି ପିଲା ଚୋରି କରିବାକୁ ଆସିଥିବା ସନ୍ଦେହ କରି ପଚରାଉଚରା କରିଥିଲେ। ଏହି ସମୟରେ ଟଣାଓଟରା ହେବାରୁ ବାବାଙ୍କ ମୁଣ୍ଡରୁ ନକଲି ଚୁଟି ଖସି ପଡ଼ିଥିଲା। ଏହାପରେ ନକଲି ବାବାଙ୍କୁ ଅଞ୍ଚଳବାସୀ ନିର୍ଧୂମ ଛେଚି ପୋଲିସରେ ଜିମା ଦେଇଛନ୍ତି।