ଆଖି ବୁଜିଲେ ଗଞ୍ଜାମ ଏସ୍‌ପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ

ଛତ୍ରପୁର,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରଲୋକେ ସୂଚନା ଦେଇଛନ୍ତି। ମୃତକ ହେଲେ ରମ୍ଭା ଥାନା ଅଧୀନ ବୋରିଗାଁର ବାଦଲ ସାହୁ।

ପ୍ରକାଶ ଯେ, ଦୀର୍ଘ ୧୨ ବର୍ଷ ଧରି ବାଦଲଙ୍କ ପରିବାକୁ ବୋରିଗାଁ ଲୋକେ ବାସନ୍ଦ କରି ରଖିଛନ୍ତି। ଏନେଇ ସେ ବାରମ୍ବାର ରମ୍ଭା ଥାନା ଏବଂ ହୁମ୍ମା ଫାଣ୍ଡିକୁ ନ୍ୟାୟ ପାଇଁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। କିଛି ଦିନ ତଳେ ଗାଁରେ ଗାଳିଗୁଲଜ ଏବଂ ଗଣ୍ଡଗୋଳ ନେଇ ସେ ଗିରଫ ମଧ୍ୟ ହୋଇଥିଲେ। ଏଥିନିମନ୍ତେ ଏସ୍‌ପିଙ୍କୁ ଭେଟିବାକୁ ଚାହିଁଥିଲେ ହେଁ ଅପେକ୍ଷା କରି ନିରାଶ ହୋଇଥିଲେ। ଶେଷରେ ସେ ନିଜ ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଶରୀରର ଅଧିକାଂଶ ଭାଗ ଜଳି ଯାଇଥିବା ଯୋଗୁ ପୋଲିସ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରୁ ଅଧିକ ଚିକିତ୍ସା ଲାଗି ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

Share