ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୧୮ା୮(ଡି.ଏନ୍‌.ଏ.): ଗଜପତି ଜିଲା ସଦରମହକୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଣପୁର କଟକ ମେମୁ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନିଜାମାବାଦର ୨୮ ବର୍ଷୀୟ ଭି.ମହେଶ। ତିନି ଦିନ ପୂର୍ବେ ପାରଳାଖେମୁଣ୍ଡି ସେରି ସାହିର ଶ୍ୱଶୁରଘରକୁ ଆସିଥିଲେ ଯୁବକ ଜଣକ। ଗର୍ଭବତୀ ଥିବାରୁ ବାପଘରେ ରହୁଥିଲେ ସ୍ତ୍ରୀ। ସକାଳୁ ଟ୍ରେନ୍‌ ଲାଇନ କଡ଼ରେ ଚାଲୁଥିବା ବେଳେ ଗୁଣୁପୁର ଦିଗରୁ ଆସୁଥିବା ମେମୁ ଟ୍ରେନ୍‌ ଯୁବକଙ୍କୁ ଧକ୍କା ହୋଇଥିବା ଅନୁମାନ କରାଯାଉଛି। ପାରଳାଖେମୁଣ୍ଡି ଷ୍ଟେଶନଠାରୁ ୨ କିମି ଦୂର ଏକ ନିରୋଳା ସ୍ଥାନର ରେଳ ଧାରଣାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ଶ୍ୱଶୁରଘର ପରିବାର ଲୋକେ ଓ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ବ୍ରହ୍ମପୁର ଜିଆରପି କେସ୍‌ ନମ୍ବର ୬୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।