କରୋନା ଟିକା ନେଇ ଯୁବତୀ ହେଲେ କୋଟିପତି

ସିଡନୀ,୮।୧୧:କରୋନା ମହାମାରୀକୁ ଏଡାଇବା ପାଇଁ ଟିକା ନେବା ଜରୁରୀ। ପ୍ରାୟ ପ୍ରତ୍ୟେକ ଦେଶର ସରକାର ଏହାର ନାଗରିକମାନଙ୍କୁ ଏହି ପ୍ରକାରର ବାର୍ତ୍ତା ଦେଉଛନ୍ତି। ଟିକା ନେବା ପାଇଁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ ମଧ୍ୟ କରାଉଛନ୍ତି। ନିକଟରେ ଅଷ୍ଟ୍ରେଲିଆର ଜଣେ ଯୁବତୀ କରୋନା ଟିକା ନେଇ କୋଟିପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କୁ ମୋଟ ୭.୪ କୋଟି ଟଙ୍କା ପୁରସ୍କାର ମିଳିଛି।
କରୋନା ମୁକାବିଲା ପାଇଁ ବିଶ୍ୱର ପ୍ରତ୍ୟେକ ଦେଶ ନାଗରିକମାନଙ୍କୁ କରୋନା ଟିକା ନେବା ପାଇଁ ପ୍ରେତ୍ସାହିତ କରୁଛନ୍ତି। ବିଭିନ୍ନ ମଲ୍‌ ଏବଂ ହୋଟେଲ୍‌ ପକ୍ଷରୁ ଟିକା ନେଇଥିବା ବ୍ୟକ୍ତିଙ୍କୁ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦିଆଯାଉଛି। ଏପରିକି ଲୋକଙ୍କୁ ମାଗଣା ଖେଳ ଟିକେଟ, ମଦ୍ୟପାନ, ଖାଦ୍ୟ ସାମଗ୍ରୀ ଏବଂ ଲଟେରୀ ଟିକେଟ ଭଳି ଅଫର ମଧ୍ୟ ଦିଆଯାଉଛି। ସମ୍ପୃକ୍ତ ଯୁବତୀ ଏପରି ଅଫରରେ ଟିକା ନେଇ କୋଟିପତି ହୋଇଛନ୍ତି।
ସୂଚନାନୁସାରେ, ଟିକାକରଣ ଅଭିଯାନରେ ଅଷ୍ଟ୍ରେଲିଆ ସରକାର ଦି ମିଲିୟନ ଡଲାର ଭାକ୍ସ ଆଲାଇନ୍ସ ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହି ବ୍ୟବସ୍ତ ଅନୁଯାୟୀ ଜୋୟାନ ଝୁ ନାମକ ଜଣେ ଯୁବତୀ ଏକ ମିଲିୟନ ଡଲାରର ଲଟେରୀ ଜିତିଥିଲେ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୭.୪ କୋଟି ଟଙ୍କା ସହିତ ସମାନ। ସରକାରଙ୍କ ଅନୁରୋଧ କ୍ରମେ କରୋନା ଟିକା ପାଇଥିବା ଲକ୍ଷ ଲକ୍ଷ ଅଷ୍ଟ୍ରେଲୀୟମାନଙ୍କ ମଧ୍ୟରୁ ଜୋୟାନ ଅନ୍ୟତମ। ସେ ଭାଗ୍ୟଶାଳୀ ଡ୍ରରେ କୋଟିପତି ହୋଇଥିଲେ। ଜୋୟାନଙ୍କ ସମେତ ଏହି ଭାଗ୍ୟଶାଳୀ ଡ୍ରରେ ପ୍ରାୟ ୩ ମିଲିୟନ ଲୋକ ଭାଗ ନେଇଥିଲେ।

Share