ଯୁବତୀଙ୍କ ଚୁଟି କାଟି ବିଷ ପିଆଇଦେଲେ

ସମ୍ବଲପୁର,୨୫ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଘରେ ପଶି ଜଣେ ଯୁବତୀଙ୍କ ଚୁଟି କାଟି ବିଷ ପିଆଇ ଦେଇଥିଲେ। ଚେତାଶୂନ୍ୟ ହୋଇଯିବାରୁ ପରିବାର ଲୋକେ ଯୁବତୀଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୮୫/୨୨) ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣଙ୍କ ଘର ନିକଟ ପାଇଖାନାକୁ ଯାଇଥିବା ସମୟରେ କେତେଜଣ ଦୁର୍ବୃତ୍ତ ପଶି ଆସିଥିଲେ। ସେମାନେ ଯୁବତୀଙ୍କୁ ମାଡ଼ ମାରିବା ସହ ଜୋରଜବରଦସ୍ତ ବିଷ ପିଆଇ ଦେଇଥିଲେ। ଖବର ପାଇ ଧମା ଥାନା ପୋଲିସ ରାତିରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲା। ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ପୋଲିସ କହିଛି। ଘଟଣା ପଛରେ କାରଣ ନେଇପୋଲିସ ତଦନ୍ତ କରୁଥିବା ସୂଚନା ଦେଇଛି। ୧୫ଦିନ ତଳେ ମଧ୍ୟ ଉକ୍ତ ଯୁବତୀଙ୍କୁ ଅନୁରୂପ ଭାବେ ଆକ୍ରମଣ କରାଯାଇଥିଲା। ଅଭିଯୋଗ କ୍ରମେ ପୋଲିସ ୭୦/୨୨ରେ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତ ସଞ୍ଜୀତ ଭରାସାଗରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଗିରଫ ନ କରିବା ଯୋଗୁ ପୁଣିଥରେ ଯୁବତୀଙ୍କୁ ଆକ୍ରମଣ କରାଯାଇଥିବା ଆଲୋଚନା ହେଉଛି।

Share