ସେଲ୍‌ଫି ହେଲା କାଳ, ଇବ୍‌ ନଦୀରେ ଖସିପଡ଼ିଲେ ଯୁବତୀ

ବାଲିଶଙ୍କରା,୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ ନଦୀର ଘୋଘର ଘାଟରେ ପିକ୍‌ନିକ୍‌ କରିବାକୁ ଆସିଥିବା ଜଣେ ଯୁବତୀ ସେଲଫି ନେବାବେଳେ ପାଣିରେ ଖସି ପଡ଼ି ନିଖୋଜ ଅଛନ୍ତି। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁରର ଅନୁପମା ପ୍ରଜାପତି(୨୪)। ଖବର ପାଇ ବାଲିଶଙ୍କରା ଅଗ୍ନିଶମ ବିଭାଗ ଓ ତଲସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି।
ସୂଚନାଯୋଗ୍ୟ, ରବିବାର ରାଜଗାଙ୍ଗପୁରରୁ ଏକ ପରିବାରର ୧୫ ଜଣ ଏଠାକୁ ପିକ୍‌ପିକ୍‌ କରିବା ପାଇଁ ଆସିଥିଲେ। ଏହି ଯୁବତୀ ଜଣେ ପୁଅଙ୍କ ସହ ମିଶି ସେଲ୍‌ଫି ନେଉଥିବା ବେଳେ ପାଣିରେ ଖସି ପଡ଼ିଥିଲେ। ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକ ଜଣକ ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଯୁବତୀଙ୍କୁ ଉଦ୍ଧାର ପାଇଁ ବର୍ତ୍ତମାନ ସୁଦ୍ଧା ଖୋଜାଖୋଜି ଚାଲିଛି।