କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ ଏକ ଅଦ୍ଭୁତ କଥା ଜାଣିବାକୁ ପାଇଲେ। ତାଙ୍କ ହାର୍ଟ ଭୁଲ ସ୍ଥାନରେ ଥିବା ଜଣାପଡ଼ିଥିଲା।

ଚିକାଗୋରେ ରହୁଥିବା ୧୯ ବର୍ଷୀୟା ଯୁବତୀ କ୍ଲେୟର ମ୍ୟାକ୍‌ଙ୍କର ୨ ମାସ ଧରି କାଶ ହେଉଥିଲା। ଏହି ସମସ୍ୟା ନେଇ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେବା ସହ ଏକ୍ସ-ରେ କରିବାକୁ ପରାମର୍ଶ ଦେଇଥିଲେ। ଏକ୍ସ-ରେ କରିବା ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ।

ଏନେଇ କ୍ଲେୟର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କହିଛନ୍ତି, ଡାକ୍ତରମାନଙ୍କ ପ୍ରତିକ୍ରିୟା ଦେଖି ସେ ଡରି ଯାଇଥିଲେ। କାରଣ ଡାକ୍ତରମାନେ ତାଙ୍କୁ ଯେତେବେଳେ କହିଲେ କି, ତୁମ ହାର୍ଟ ଭୁଲ ସ୍ଥାନରେ ରହିଛି। ଏ ସମ୍ପର୍କରେ କ୍ଲେୟର ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। କ୍ଲେୟର କହିଛନ୍ତି, ସେ ପୂର୍ବରୁ ଅନେକ ଥର ଏକ୍ସ-ରେ କରିଛନ୍ତି ମାତ୍ର ହାର୍ଟ ଭୁଲ ସ୍ଥାନରେ ଥିବା କେବେ ଜାଣି ନ ଥିଲେ। କାଶ ଭଲ କରିବାକୁ ଯାଇ ସେ ଏହା ଜାଣିବାକୁ ପାଇଛନ୍ତି।

ସାଧାରଣତଃ ସମସ୍ତଙ୍କ ହାର୍ଟ ବାମ ପାର୍ଶ୍ୱରେ ଥାଏ। ମାତ୍ର କ୍ଲେୟରଙ୍କ ହାର୍ଟ ଡାହାଣ ପାର୍ଶ୍ୱରେ ରହିଛି। ଏହା ଡେକ୍ସୋକାର୍ଡିଆ ନାମକ ଏକ ଦୁର୍ଲଭ ରୋଗ। ଏହା ଜନ୍ମରୁ ହିଁ ରହିଥାଏ। ୧୦୦ ଜଣରେ ଜଣଙ୍କୁ ଏହି ରୋଗ ହୋଇଥାଏ। ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରି ନ ଥାଏ।

କ୍ଲେୟରଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବର୍ତ୍ତମାନ ସୁଦ୍ଧା ଏହାକୁ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୪ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି।

Share