ଭଞ୍ଜନଗର,୧୯।୫: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୁରୁମୁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ଦିନ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତୁରୁମୁ ଗ୍ରାମର ସନ୍ତୋଷିନୀ ନାୟକ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସନ୍ତୋଷିନୀ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।
ବୁଧବାର ଗାଡ଼ିଆପଡ଼ାର ଜଣେ ଯୁବକଙ୍କ ସହ ସନ୍ତୋଷିନୀଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏନେଇ ମଙ୍ଗଳବାର ଗାଁରେ ଭୋଜିଭାତ ମଧ୍ୟ ସରିଥିଲା। ବୁଧବାର ଅପରାହ୍ନରେ ଝିଅ ବିଦା ହୋଇଥାନ୍ତା। ତେବେ ସକାଳେ ସନ୍ତୋଷିନୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ପଚାରିବାରେ ସେ ବିଷ ପିଇ ଦେଇଥିବା କହିଥିଲେ। ସନ୍ତୋଷିନୀଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।