ମନ୍ଦିର ପରିସରରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କଲେ ଯୁବତୀ, ଆଉ ତା’ ପରେ…

ଭୋପାଳ,୨୭ା୯: ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକେ ଅଜବ ଉପାୟ ସବୁ ଆପଣାଉଛନ୍ତି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଯୁବତୀ ମନ୍ଦିର ପରିସରରେ ଠିଆ ହୋଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓଟିକୁ ଯୁବତୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ।

ଛତରପୁରର ଆରତି ସାହୁ ନାମକ ଏହି ଯୁବତୀ ଜନରାୟ ଟୋରିଆ ମନ୍ଦିର ପରିସରରେ ଡ୍ୟାନ୍ସ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏହା ଖୁବ୍‌ ତୀବ୍ର ବେଗରେ ଭାଇରାଲ ହୋଇଥିଲା। ୟୁଜରମାନେ ଯୁବତୀଙ୍କୁ ନିନ୍ଦା କରିବା ସହ ଏହି ଭିଡିଓ ସନାତନ ଧର୍ମ ବିରୋଧୀ ବୋଲି ଅଭିଯୋଗ ଆଣିଛନ୍ତି।

ଏହା ପରେ ମନ୍ଦିର ମହନ୍ତ ଭଗବାନ ଦାସ ଆରତିଙ୍କ ମାତାପିତାଙ୍କୁ ଡାକି ବୁଝାଇଥିଲେ। ପରେ ଆରତି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମରୁ ଡିଲିଟ୍‌ କରିବା ସହ ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୋର କୌଣସି ଉଦ୍ଦେଶ୍ୟ ନ ଥିଲା କି ସନାତନ ଧର୍ମକୁ ବଦନାମ କରିବା। ଏହି ଭିଡିଓ କରି ମୁଁ ମୋ ପରିବାର ଭରଣପୋଷଣ କରେ। ମୋ ପିତା ରୋଗରେ ପୀଡ଼ିତ। ମୋ କାନ୍ଧରେ ମୋ ପରିବାରର ବୋଝ। ଭିଡିଓରେ କୌଣସି ଅଶ୍ଳୀଳତା ନାହିଁ।

ଅନ୍ୟପକ୍ଷରେ ୟୁଜରମାନେ ଆରତି କ୍ଷମା ମାଗିବା ପରେ ମଧ୍ୟ ଚୁପ୍‌ ରହି ନ ଥିଲେ। ବଜରଙ୍ଗ ଦଳର କର୍ମକର୍ତ୍ତମାନେ ଆରତିଙ୍କ ନାମରେ କେସ୍‌ କରିଥିଲେ।

ଇନ୍‌ଷ୍ଟାଗ୍ରାମରେ ଆରତିଙ୍କର ୨୫ ଲକ୍ଷ ଫଲୋଅର୍ସ ଅଛନ୍ତି। ଏଥିରୁ ଯାହା ରୋଜଗାର ହୁଏ ଆରତିଙ୍କ ପରିବାର ଚଳେ।

Share