ଯୁବତୀଙ୍କୁ ପିଟିଲେ ଆର୍‌ପିଏଫ୍‌ କନଷ୍ଟେବଳ

ରାଉରକେଲା ଅଫିସ,୨ା୧୦: ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନରେ ଜଣେ ଯୁବତୀଙ୍କୁ ଆର୍‌ପିଏଫ୍‌ କନଷ୍ଟେବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ମାଡ଼ରେ ଯୁବତୀ ଜଣଙ୍କ ଲହୁଲୁହାଣ ହୋଇ ଆର୍‌ଜିଏଚ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଉରକେଲା ଜିଆର୍‌ପି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୫୫/୨୧) ରୁଜୁ କରି ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁସାରେ, କର୍ଣ୍ଣାଟକ ରାଜ୍ୟ ଧନବାଦ ଜିଲା ନରେନ୍ଦ୍ର ଗ୍ରାମରେ ଅନୀତା ରାଜଶ୍ରେଷ୍ଠ(୩୦) ସପରିବାର ବାସ କରନ୍ତି। ସେ କୌଣସି କାମ ପାଇଁ ମହାରାଷ୍ଟ୍ରର ଗୁନ୍ଧିଆ ଷ୍ଟେଶନରୁ ଗୀତାଞ୍ଜଳି ଏକ୍ସପ୍ରେସ ଯୋଗେ ହାୱଡ଼ା ବାହାରିଥିଲେ। ଅନୀତା ବିନା ଟିକେଟରେ ଗୀତାଞ୍ଜଳି ଏକ୍ସପ୍ରେସ୍‌ର ଏସ୍‌-୩ ବଗିରେ ଥିବା ଏକ ସିଟ୍‌ରେ ବସିଥିଲେ। ଶନିବାର ଟ୍ରେନ୍‌ଟି ରାଉରକେଲା ପାନପୋଷ ଷ୍ଟେଶନରେ ପହଞ୍ଚିବାବେଳେ ଆର୍‌ପିଏଫ୍‌ କନଷ୍ଟେବଳ ଅଜିତ କୁମାର ନାୟକ ତାଙ୍କୁ ଟିକେଟ ମାଗିଥିଲେ। ମହିଳା ଜଣଙ୍କ ଟିକେଟ କରି ନ ଥିବା ସ୍ବୀକାର କରିଥିଲେ। ଅଜିତ ମହିଳା ଜଣଙ୍କୁ ସିଟ୍‌ ଛାଡ଼ିବା ପାଇଁ କହିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମହିଳାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଅଜିତ ବାଡ଼ିରେ ଅନୀତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅନୀତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଟ୍ରେନ୍‌ଟି ରାଉରକେଲା ଷ୍ଟେଶନରେ ପହଞ୍ଚିବା ପରେ ଯୁବତୀ ଜଣକ ଜିଆର୍‌ପି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଜିଆର୍‌ପି ଥାନା ଏସ୍‌ଆଇ ଦେବେନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଏସ୍‌ଆଇ ନାୟକ କହିଥିଲେ।