ବାଲିଗୁଡ଼ା,୨୪ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଦିନକୁ ଦିନ ନାବାଳିକା/ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳିତ ମାସ ୧୫ ତାରିଖରେ ମହାସିଙ୍ଗି ପଞ୍ଚାୟତ ପାତ୍ର ସାହିର ଝୁନୁରାଣୀ କହଁର ନିଖୋଜ ଥିବା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି l ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବାଲିଗୁଡ଼ା ପୋଲିସ। ହେଲେ ଏ ଯାଏ ପୋଲିସ ନିଖୋଜ ଝୁରୁନାରାଣୀଙ୍କ କୌଣସି ସନ୍ଧାନ ପାଇ ନ ଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସୂଚନାନୁଯାୟୀ, ଚଳିତ ମାସ ୧୫ ତାରିଖରେ ରଜ ଉତ୍ସବ ଚାଲିଥିବା ବେଳେ ଝୁନୁରାଣୀ ଘରେ କାହାକୁ କିଛି ନ କହି ଘରୁ ବାହାରି ଥିଲେ, ହେଲେ ସନ୍ଧ୍ୟା ପୂର୍ବରୁ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ସାହି ପଡ଼ିଶା ବନ୍ଧୁ ବାନ୍ଧବ ନିକଟସ୍ଥ ଗାଁ ସବୁ ଖୋଜାଖୋଜି କରିବା ପରେ ସନ୍ଧାନ ନ ମିଳିବାରୁ ପୋଲିସର ଦ୍ୱାରସ୍ଥ ହୋଇଥିଲେ। କେହି ଦୁର୍ବୃତ୍ତ ଝୁନୁଙ୍କୁ ଅପହରଣ କରି ଲୁଚାଇ ରଖିଥିବା ବିଷୟ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଘଟଣାକୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏ ଯାଏ କୌଣସି ସୁରାକ ପାଇପାରୁନାହିଁ। ଝୁନୁରାଣୀଙ୍କ ଖୋଜ ଖବର ମିଳୁ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି। ଏଣୁ ଏଥିପ୍ରତି ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନିଖୋଜ ଯୁବତୀଙ୍କ ସନ୍ଧାନ ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି।