ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ ଖୋଲି ପ୍ରତିଦିନ ଶହ ଶହ ଯୁବକଙ୍କୁ ଫସାଉଥିଲେ ଜଣେ ଯୁବତୀ। ସେ ହେଉଛନ୍ତି ଖୋର୍ଦ୍ଧା ଜିଲା ନାଚୁଣୀ ଅଞ୍ଚଳର। ଏବେ ତାଙ୍କୁ ଭୁବନେଶ୍ୱର ସହିଦନଗର ଥାନା ପୋଲିସ ଗିରଫ କରିଛି।
ଏହି ଯୁବତୀ ଜଣକ ଫେସବୁକ୍ରେ ନିଜ ଫଟୋ ନ ଦେଇ ଅଜଣା ସୁନ୍ଦରୀଙ୍କ ଫଟୋ ଅପଲୋଡ୍ କରୁଥିଲେ। ନିଜ ପ୍ରେମ ଜାଲରେ ବହୁ ଯୁବକଙ୍କୁ ମୋହରା ବନାଉଥିଲେ। କାହାକୁ କେତେବେଳେ ନିଜକୁ ଡାକ୍ତର ବୋଲି କହୁଥିଲେ ତ ଆଉ କେତେବେଳେ ଇଞ୍ଜିନିୟର। ପରବର୍ତ୍ତୀ ସମୟରେ ଯୁବକମାନଙ୍କଠାରୁ ଟଙ୍କା ଲୁଟୁଥିଲେ।
ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଜଣେ ଯୁବକ ଅଭିଯୋଗ କରିଥିଲେ । ବହୁ ଯୁବକଙ୍କୁ ସେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଖୋଳତାଡ଼ ଆରମ୍ଭ କରିଥିଲା ସହିଦନଗର ପୋଲିସ। ଏହି ଯୁବତୀଙ୍କ ନିକଟରୁ ନଗଦ ୧ଲକ୍ଷ ୩୩ ହଜାର ଟଙ୍କା, ମୋବାଇଲ, ଏଟିଏମ କାର୍ଡ ଓ ବ୍ୟାଙ୍କ ପାସ୍ବୁକ୍ ଜବତ ହୋଇଛି। ସେ କେତେ ଜଣଙ୍କୁ ଠକିଛନ୍ତି ପୋଲିସ ଏହାର ଖୋଳତାଡ଼ ଜାରି ରଖିଛି।