ବାର୍‌ହା ଭାବି ଯୁବତୀଙ୍କୁ ଗୁଳି

ସୁନ୍ଦରଗଡ଼,୭।୩(ଡି.ଏନ୍‌.ଏ.): ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ବନ୍ୟଜନ୍ତୁ ଶିକାର ପାଇଁ ଛକିଥିବା ଶିକାରୀ ବାର୍‌ହା ଭାବି ଚଳାଇଦେଲେ ଗୁଳି। ଏଥିରେ ଜଣେ ଯୁବତୀ ଆହତ ହୋଇଛନ୍ତି। ସେ ହେଲେ ଉର୍ବଶୀ ନାଏକ (୧୮)। ସୁନ୍ଦରଗଡ଼ ସଦର ବ୍ଲକ ଧରୁଆଡିହି ଥାନା ଅନ୍ତର୍ଗତ ଲମଟି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ସକାଳେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଉର୍ବଶୀ ଗ୍ରାମର ଅନ୍ୟ କେତେଜଣ ମହିଳାଙ୍କ ସହ ମିଶି ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ। ଜାଳେଣି ସଂଗ୍ରହ ବେଳେ ବାର୍‌ହା ଶିକାର ପାଇଁ ଛପିଥିବା ଶିକାରୀମାନେ କିଛି ଶବ୍ଦ ଶୁଣିଥିଲେ ଏବଂ ଉକ୍ତ ସ୍ଥାନରେ ବାର୍‌ହା ଥିବା ଅନୁମାନ କରି ଗୁଳି ଚଳାଇଥିଲେ। ଗୁଳିଟି ଯାଇ ଉର୍ବଶୀଙ୍କ ପଛ ପଟେ ବାଜିଥିଲା। ଗୁଳି ବାଜିବା ମାତ୍ରେ ସେ ଚିତ୍କାର ତଳେ ପଡ଼ିଯାଇଥିଲେ। ପାଖରେ ଥିବା ମହିଳାମାନେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଗ୍ରାମକୁ ଆଣିଥିଲେ। ପରେ ଗଁା ଲୋକଙ୍କ ସହାୟତାରେ ତାଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଯୁବତୀ ଜଣକ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ସୂଚନା ପାଇ ଧରୁଆଡିହି ଥାନା ଆଇଆଇସି ଅଲେଖ ଚନ୍ଦ୍ର ସେଠୀ ସଦଳବଳ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଲମଟି ଜଙ୍ଗଲକୁ ଘେରାଉ କରି ଖାନତଲାସି ଚଳାଇଛନ୍ତି।
ସୂଚନାଯୋଗ୍ୟ, ଯୁବତୀଙ୍କ ଘର ଧୂମାଗଡ଼ା ଗ୍ରାମରେ। ସେ ଲମଟି ଗ୍ରାମସ୍ଥିତ ତାଙ୍କ ମାମୁ ଘରେ ରହି ବିରବିରା କଲେଜରେ ପଢୁଛନ୍ତି।

Share