Categories: ଜାତୀୟ

ଦୁଇ ଲୁଟେରାଙ୍କ ସହ ଲଢ଼ି ଜିତିଲେ ଏହି ଯୁବତୀ, ପୁରସ୍କାର ରାଶି ଘୋଷଣା କଲା ପୋଲିସ

ଚଣ୍ଡିଗଡ଼,୨ା୯: ଜଳନ୍ଧରର ଡେପୁଟି କମିଶନର ଘନଶ୍ୟାମ ଥୋରୀ ଜଣେ ଯୁବତୀଙ୍କୁ ୫୧,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି। ତେବେ ଯୁବତୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, ପଞ୍ଜାବସ୍ଥିତ ଜଳନ୍ଧରର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ଦୁଇଜଣ ଯୁବକଙ୍କ ସହ ଲଢ଼େଇ କରୁଥିବା ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଯୁବତୀ ଜଣଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଦ୍ରୁତ ଗତିରେ ପଳାଉଥିଲେ। ମାତ୍ର ଯୁବତୀ ଜଣଙ୍କ ଦୁର୍ବୃତ୍ତ ଦ୍ୱୟଙ୍କୁ ପିଛା କରି ତାଙ୍କଠାରୁ ମୋବାଇଲ ଛଡ଼ାଇ ଆଣିଛନ୍ତି। ଏହି ସମୟରେ ଲୁଟେରା ଦୁଇଜଣ ହାତ ହତିଆରରେ ଆତଙ୍କ ଖେଳାଇଥିଲେ। ମାତ୍ର ଯୁବତୀ ଜଣଙ୍କ ଏହାକୁ ଭୟ ବା ଖାତିର ନ କରି ତାଙ୍କ ସହ ଲଢ଼ି ନିଜ ମୋବାଇଲ ଛଡ଼ାଇ ଆଣିଥିଲେ। ଏଥିରେ ଯୁବତୀଙ୍କ ହାତରେ ଆଘାତ ଲାଗିଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯୁବତୀଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ପୋଲିସ ଉପରୋକ୍ତ ପୁରସ୍କାର ରାଶି ପ୍ରଦାନ କରିଛି।

Share