ଟଙ୍କା ପାଇଁ ତଣ୍ଟି କାଟିଲେ ସାନଭାଇ

ସୋର,୪୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସବିରା ପଞ୍ଚାୟତର ମୁନିସବିରା ଗ୍ରାମର ରଘୁନାଥ ବେହେରା (୩୫) ଓ ତାଙ୍କ ସ୍ତ୍ରୀ ପ୍ରଭାତିଙ୍କୁ ଗଳାକାଟି ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ରଘୁନାଥଙ୍କ ସାନଭାଇ ମଧୁସୂଦନ ବେହେରା ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ସ୍ପଷ୍ଟ ହୋଇଛି। ପୋଲିସ ତଦନ୍ତ ପରେ ମଧୁସୂଦନ ଓ ତାଙ୍କ ସହଯୋଗୀ ସ୍ଥାନୀୟ ସବିରା ଉଡ଼ାପଦା ଗ୍ରାମର ମାନସ ଜେନାଙ୍କୁ ଗିରଫ କରିଛି। ଶୁକ୍ରବାର ଅପରାହ୍ନରେ ପୋଲିସ ଉଭୟଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ କରିଥିଲା। ଜମି ବିକ୍ରି ଟଙ୍କା ବଣ୍ଟନକୁ କେନ୍ଦ୍ରକରି ମଧୁସୂଦନ ଓ ତାଙ୍କ ସହଯୋଗୀ ଏହି ହତ୍ୟାକାଣ୍ଡ ରଚିଥିବା ସ୍ବୀକାର କରିଛନ୍ତି ବୋଲି ବାଲେଶ୍ୱର ଦାୟିତ୍ୱରେ ଥିବା ମୟୂରଭଞ୍ଜ ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀ ସୋର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବୁଧବାର ରାତିରେ କୁକୁଡ଼ା ଫାର୍ମ ପଡ଼ିଆରେ ଦମ୍ପତିଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏନେଇ ମୃତକଙ୍କ ମା’ ସାବିତ୍ରୀ ସୋର ଥାନାରେ ଏତଲା ଦେବା ପରେ ମାମଲା (ନଂ. ୧୩୧/୨୩) ରୁଜୁ କରାଯାଇଥିଲା। ସୋର ଥାନା ପୋଲିସ ଗୁରୁବାର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରିଥିଲା। ଏଥିରେ ୩ଜଣଙ୍କୁ ସୋର ପୋଲିସ ଅଟକ ରଖିଥିଲା। ହତ୍ୟା କରିବା ନେଇ ସେ ଗତ ୩ମାସ ହେଲା ଯୋଜନା କରୁଥିଲେ। ଉକ୍ତ ରାତିରେ ଉଭୟ ଫାର୍ମ ନିକଟରେ ଲୁଚି ରହିଥିଲେ। ବଡ଼ଭାଇ ରଘୁନାଥ ଓ ଭାଉଜ ପ୍ରଭାତି ଆସୁଥିବା ସମୟରେ ଦୁହେଁ ପ୍ରଥମେ ଏସିଡ୍‌ ଫିଙ୍ଗି ଦେଇଥିଲେ। ପରେ ମଧୁସୂଦନ ନିଜେ ଉଭୟଙ୍କୁ ଛୁରୀ ଓ ଖଣ୍ଡାରେ ଗଳାକାଟି ପକାଇବା ପରେ ଘରକୁ ପଳାଇ ଆସିଥିଲେ। ସେମାନଙ୍କ ବୟାନକୁ ଆଧାର କରି ସ୍ଥାନୀୟ ପୋଖରୀରୁ ଖଣ୍ଡା, ଏସିଡ୍‌ ବୋତଲ ଓ ମଦ ବୋତଲ ଜବତ କରାଯିବା ସହିତ ଏକ କିଆବୁଦାରୁ ଛୁରି ଜବତ କରାଯାଇଛି।