ପୁରୀ ଅଫିସ, ୨୩ା୬: ମହାପ୍ରଭୁଙ୍କ ସେବାରେ ବୁଧବାର ସର୍ବକନିଷ୍ଠ ଦଇତାପତି ସେବାୟତ ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଆୟୁଷ୍ମାନ ଦାସମହାପାତ୍ର। ଆୟୁଷ୍ମାନ ଅଣସର ତାଟି ଘରେ ପ୍ରବେଶ କରିବା ସହ ଶ୍ରୀବିଗ୍ରହଙ୍କ ସେବାପୂଜାରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ପରମ୍ପରା ଓ ବିଧି ମୁତାବକ, ପ୍ରତ୍ୟେକ ଦଇତାପତି ପରିବାରର ପୁତ୍ର ସନ୍ତାନ ହେବାର ୨୧ ଦିନ ପରେ ଅନବସର ସମୟରେ ସେବାପୂଜାରେ ଭାଗିଦାର ହେବାର ସୌଭାଗ୍ୟ ମିଳିଥାଏ। ମଙ୍ଗଳବାର ଆୟୁଷ୍ମାନଙ୍କ ଏକୋଇଶିଆ ପାଳନ ହୋଇଥିବାବେଳେ ବୁଧବାର ୨୨ ଦିନରେ ସେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଛନ୍ତି। ଏ ନେଇ ତାଙ୍କ ଜେଜେବାପା ରବୀନ୍ଦ୍ର ଦାସ ମହାପାତ୍ର୍ର ଖୁସି ବ୍ୟକ୍ତ କରିଛନ୍ତି। ଅନ୍ୟ ସେବାୟତଙ୍କ ପୁତ୍ର ସନ୍ତାନମାନେ ଶାଢ଼ିବନ୍ଧା ପରେ ଏବଂ ଦଇତାପତି କୂଳରେ ଜନ୍ମିତ ପୁତ୍ରମାନେ ଜନ୍ମର ୨୧ ଦିନ ପରେ ଅଣସର ତାଟି ଘରେ ପ୍ରବେଶ କରି ମହାପ୍ରଭୁଙ୍କ ସେବା କରିବାର ସୌଭାଗ୍ୟ ପାଇଥାନ୍ତି ବୋଲି ସେ କହିଛନ୍ତି।