ଟୋକିଓ, ୨୪ା୭ (ପି.ଟି.)-ଟୋକିଓ ଅଲିମ୍ପିକ୍ସର ସର୍ବକନିଷ୍ଠ ପ୍ରତିଯୋଗୀ ହେଉଛନ୍ତି ଯୁଦ୍ଧପ୍ରବଣ ସିରିଆ ଦେଶର ୧୨ ବର୍ଷୀୟା ହେନ୍ଦ୍ ଜାଜା। ସେ ଟେବୁଲ ଟେନିସ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ୨୦୧୪ରୁ ସେ ଏହି ଖେଳ ସହ ସମ୍ପୃକ୍ତ। ଦାମାସ୍କସରେ ସେ ଟ୍ରେନିଂ ନେଉଛନ୍ତି। ସିରିଆର ହାମା ସହର ବାସିନ୍ଦା ଜାଜା ଅଲିମ୍ପିକ୍ସରେ ଶନିବାର ମହିଳା ଟେବୁଲ ଟେନିସ ସିଙ୍ଗଲ୍ସରେ ଅଷ୍ଟ୍ରିଆର ୩୯ ବର୍ଷୀୟା ଲିଉ ଜିଆଙ୍କ ସହ ମୁକାବିଲା କରି ତାଙ୍କ ଅଭିଯାନ ଆରମ୍ଭ କରିବେ। ସେତେବେଳେ ତାଙ୍କ ବୟସ ୧୨ ବର୍ଷ ୨୦୪ ଦିନ ହୋଇଥିବ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବୟସ ତାଙ୍କଠାରୁ ୩ ଗୁଣାରୁ ଅଧିକ। ଜାଜା କହିଛନ୍ତି ସେ କେବଳ ପ୍ରତିଯୋଗିତାରେ ଭାଗ ନେବାକୁ ଆସିନାହାନ୍ତି। ସେ ଏଭଳି ପ୍ରଦର୍ଶନ କରିବାକୁ ଚାହାନ୍ତି, ଯେଉଁଥିରେ ସିରିଆବାସୀଙ୍କ ମନରେ ଖୁସି ଆଣିଦେବ।