Advertisement

ଗଛ କାଟିବା ହେଲା କାଳ: ୧୧କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

କୁଆଁରମୁଣ୍ଡା,୧୫।୮(ମହେନ୍ଦ୍ର କୁମାର ସାହୁ): ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟାଟା ପାୱାର ପକ୍ଷରୁ ଗଛ କଟାଯାଇ ନ ଥିଲା। ବର୍ଷା ଦିନେ ଘର ପାଖ ଗଛ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବା ଆଶଙ୍କାରେ ଗୁରୁବାର ଗଛ ଡାଲ କାଟୁଥିବା ବେଳେ ଏକ ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତେଲିପୋଷ ଗ୍ରାମର ଅଭିଷେକ ଲୋହୋରା(୨୪)।

ପରିବାର ଲୋକେ ଅଭିଷେକଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଡାକ୍ତରଖାନା ଶବଗାରରେ ରଖାଯାଇଛି।

ଅନ୍ୟପକ୍ଷେ ଶୁକ୍ରବାର କୁଆଁରମୁଣ୍ଡା ଟାଟା ପାୱାର କାର୍ଯ୍ୟାଳୟକୁ ତେଲିପୋଷ ଗ୍ରାମବାସୀ ଘେରାଉ କରିବା ସହ ଉପଯୁକ୍ତ କ୍ଷତିପୂରଣ ଦେବା ନେଇ ଆନ୍ଦୋଳନ କରିବେ ବୋଲି ଜଣାପଡିଛି। ଏପରିକି ଅଭିଷେକଙ୍କ ମୃତ୍ୟୁ ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଚନ୍ତି। ଏ ନେଇ କୁଆଁରମୁଣ୍ଡା ଟାଟା ପାୱାର ଜେଇ ଜ୍ୟୋତି ପ୍ରକାଶ ସାହୁଙ୍କୁ ପଚାରିବାରୁ ମୃତକଙ୍କ ପରିବାର ପକ୍ଷରୁ ଗଛ କାଟିବା ନେଇ କୌଣସି ଲିଖିତ କିମ୍ବା ମୌଖିକ ଅଭିଯୋଗ କରି ନ ଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share