ଅଧିକ ଟଙ୍କା ରୋଜଗାର ଆଶାରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ

ସୋରଡ଼ା,୧ା୭(ଲମ୍ବୋଦର ପାଣିଗ୍ରାହୀ): ଅଳ୍ପ ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଅଞ୍ଚଳର ଶତାଧିକ ଯୁବକ ଅର୍ଥ ଶ୍ରାଦ୍ଧ କରି ଏବେ ଚିନ୍ତାରେ ପଡ଼ିଛନ୍ତି। ଗଞ୍ଜାମ ଜିଲା ସୋରଡା ଏନ୍‌ଏସି ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ୪ ମାସ ହେଲା କାନାଡିଆନ ସୋଲାର ନାମରେ ଏକ ଆପ ଘୂରୁ ବୁଲୁଥିଲା। ଉକ୍ତ ଆପ୍‌ରେ ନାମ ପଞ୍ଜୀକରଣ ସହ ନିଜର ବ୍ୟାଙ୍କ ବିବରଣୀ ଦେଲା ପରେ ୬ ଅଙ୍କ ବିଶିଷ୍ଟ ଆଇଡି ଓ ଓ୍ବାଲେଟ ତିଆରି ହେଉଥିଲା। ପ୍ରଥମେ ସେଥିରେ ୫୫୦ଟଙ୍କା ପୁଞ୍ଜି ନିବେଶ କଲେ ତାହା ଦିନକୁ ୨୪ ଟଙ୍କା ଲେଖାଏ ପ୍ରତିଦିନ ନିଜ ବ୍ୟାଙ୍କ ଖାତାକୁ ଆସୁଥାଏ ୪୫ ଦିନ ପର୍ଯ୍ୟନ୍ତ। ଯାହାକି ୫୫୦ ଟଙ୍କା ବିନିଯୋଗରେ ୪୫ ଦିନରେ ୧୦୮୦ ଟଙ୍କା ଆସୁଥିଲା। ସେହିପରି ୩୫୦୦ ବିନିଯୋଗରେ ୫୫ ଦିନରେ ଦିନକୁ ୨୮୦ ଟଙ୍କା ହିସାବରେ ଓ ୧୨୫୦୦ ବିନିଯୋଗରେ ୫୫ ଦିନରେ ଦିନକୁ ୧୦୨୫ ଟଙ୍କା ବ୍ୟାଙ୍କ ଖାତାରେ ଆସି ଜମା ହେଉଥିଲା। ତେବେ ମାର୍ଚ୍ଚ ମାସରେ ଏଠାରେ ପ୍ରବେଶ କରିଥିବା ଏହି ଆପ୍‌ରେ କିଛି ଯୁବକ ପୁଞ୍ଜି ଲଗାଇ ଲାଭବାନ ହେବା ପରେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ଶୁଝାଇ ଏଥିରେ ପ୍ରବେଶ କରାଇଥିଲେ। ଜଣେ ଅନ୍ୟ ଜଣଙ୍କୁ ନିଜର ଆଇଡିରେ ଜଏନ କରାଇଲେ ବୋନସ ବ୍ୟବସ୍ଥା ମଧ୍ୟ ରହିଥିଲା। ଏପରିକି ଜଣେ ୧୦୦ ଜଣଙ୍କୁ ଜଏନ କଲେ ସେ ୧୦୦ ଆହୁରି ୩ ଜଣ ଲେଖାଏ କରିବେ ତା’ହେଲେ ଲକ୍ଷାଧିକ ଟଙ୍କା ବୋନସ ଆସିବାର ଆପ୍ପ ମାଧ୍ୟମରେ ସୂଚନା ମିଳିଥିଲା। ପ୍ରଥମେ ପ୍ରଥମେ ବହୁ ଜଣଙ୍କର ନିବେଶ ଅନୁଯାୟୀ ଅର୍ଥ ଆସିବାରେ ଲାଗିଲା। ସେମାନଙ୍କର ଏପରି ଅଯାତିତ ଅର୍ଥ ଆସିବାର ଦେଖି ଅନ୍ୟମାନେ ମଧ୍ୟ ଏଥିରେ ମାତିଥିଲେ। ୨ ମାସ ମଧ୍ୟରେ ଆଇଡି ସଂଖ୍ୟା ବଢିବାରେ ଲାଗିଲା। ଏପରିକି ୪ ମାସ ବେଳକୁ ସୋରଡାର ରଥପଦା,ବାଙ୍କବଜାର,ବରାଡି,ପାଇକ ସାହି,କବିରାଜ ସାହି,ଚନ୍ଦ୍ରମଣି ସାହି ସମେତ ବ୍ଲକର ବୋରଶିଙ୍ଗୀ, ହୁକୁମା ଓ ବିଭିନ୍ନ ଗ୍ରାମର ସହସ୍ରାଧିକ ଯୁବକ ଏଥିରେ ସାମିଲ ହୋଇଯାଇଛନ୍ତି। ଛୋଟ ବଡ଼ କରି ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଦେଇଛନ୍ତି । ଯାହାକି ଏବେ ୭ ଦିନରୁ ଊର୍ଦ୍ଧ୍ୱ ହେବ ଆଉ ଟଙ୍କା ଆସୁନି ଖାତାକୁ। ନିବେଶକଙ୍କ ଟଙ୍କା ନେଇ ଏହି ଆପ ବଡ଼ବଡ଼ କମ୍ପାନୀମାନଙ୍କରେ ନିବେଶ କରାଉଥିଲା ଏବଂ ଅଧିକ ମୁନାଫା ହେଉଥିଲା। ତେଣୁ ଆଇଡି ନେଇଥିବା ଓ ପୁଞ୍ଜି ନିବଶକଙ୍କୁ ଅଧିକ ଲାଭ ପଠାଉଥିବା ସୂଚନା ଦିଆଯାଉଥିଲା ଆପ୍‌ ମାଧ୍ୟମରେ ଜନସାଧାରଣଙ୍କୁ। ତେବେ ଯେଉଁମାନେ ତଳକୁ ତଳକୁ ଚେନ୍‌ କରି ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ପ୍ରବେଶ କରାଇ ଆଇଡି ଦେଇଥିଲେ। ସେମାନେ ଟଙ୍କା ଲଗାଇ ଏବେ ଚିନ୍ତାରେ ପଡ଼ିଛନ୍ତି। ପ୍ରାୟ ୧୦୦୦ ଲୋକ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରିଥିବା ଆଶଙ୍କା କରାଯାଉଛି।

ଏଥିରେ ଶିକ୍ଷିତ,ଅଶିକ୍ଷିତ,ବେପାରୀ,ଛାତ୍ର,ବୟସାଧିକ ମଧ୍ୟ ଛନ୍ଦି ହୋଇଯାଇଛନ୍ତି। ଅନ୍‌ଲାଇନ ଫ୍ରଡ୍‌ ଚଳିତ ଦିନରେ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଆପ୍‌ରେ ଅର୍ଥ ବିନିଯୋଗ ପାଇଁ ଫୋନ୍‌ ପେ,ଗୁଗ୍‌ଲୀ ପେ,ଅନଲାଇନ ବ୍ୟାଙ୍କିଙ୍ଗ ଜରିଆରେ ନିବେଶ ହେଉଥିଲା। ପ୍ରଥମେ ପ୍ରଥମେ ମୂଳ ,ସୁଧ ,ଲାଭ ଅର୍ଥ ମଧ୍ୟ ନିବେଶକାରୀଙ୍କ ବ୍ୟାଙ୍କ ଖାତାକୁ ବିଭିନ୍ନ ପ୍ରକାର ନାମଧାରୀ ଆକାଉଣ୍ଟରୁ ଅର୍ଥ ଆସି ଜମା ହେଉଥିଲା।

Share