ଛତ୍ରପୁର,୯ା୧୧(ଦିଲ୍ଲୀପ କୁମାର ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଅଞ୍ଚଳରେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଗତ ୫ ତାରିଖରେ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ଛତ୍ରପୁର ଆସି ଗଞ୍ଜାମ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାରବର୍ଗ। ପୀଡ଼ିତା ଜଣକ ଗତ ୫ ତାରିଖରେ ନିଜ ଘର ସମ୍ମୁଖରେ ଖେଳୁଥିବା ବେଳେ ସେହି ଗ୍ରାମର ସହଦେବ ବେହେରାଙ୍କ ପୁଅ ବରୁଣ ବେହେରା (୩୭) ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାରବର୍ଗ ଗତ ୬ ତାରିଖରେ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ୍ କରାଯିବା ସହିତ କୋର୍ଟରେ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା l ତେବେ ଘଟଣାକୁ ୭୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ନ ଥିବା ନେଇ ଆଜି ପୀଡ଼ିତାଙ୍କ ପରିବାରବର୍ଗ ଗଞ୍ଜାମ ଏସ୍ପି ଜଗମୋହନ ମୀନାଙ୍କୁ ଭେଟିଛନ୍ତି। ଏହା ସହିତ ଅଭିଯୁକ୍ତ ଜଣଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାହି ବାସିନ୍ଦା ଓ ପରିବାରବର୍ଗ ଗଞ୍ଜାମ ଏସ୍ପିଙ୍କ ନିକଟରେ ଦାବି କରିଛନ୍ତି।
Posted inଅପରାଧ, ଆମ ଜିଲା ଖବର, ଗଞ୍ଜାମ