ଯୁବକଙ୍କ କଟାହାତ ଯୋଡ଼ାହେଲା

କଟକ,୧ା୭ (କାର୍ତ୍ତିକ ସାହୁ): ଜଣେ ଯୁବକଙ୍କ କଟା ହାତକୁ ଯୋଡ଼ି ଏସ୍‌ସିବି ମେଡିକାଲର ଡାକ୍ତରମାନେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସମ୍ପୂର୍ଣ୍ଣ ଦୁଇଖଣ୍ଡ ହୋଇଯାଇଥିବା ହାତରେ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଏସ୍‌ସିବି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରି ବିଭାଗର ବିଶେଷଜ୍ଞମାନେ। ଏହି ଯୁବକ ଜଣକ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁଟାପାଳ ଗ୍ରାମର ପ୍ରକାଶ ଦାସ(୨୩)।
ମିଳିଥିବା ସୂଚନାନୁସାରେ, ପ୍ରକାଶ ରଥଯାତ୍ରା ଦେଖି ଗତ ଜୁନ୍‌ ୨୧ ତାରିଖ ରାତି ପ୍ରାୟ ୮ଟାରେ ଫେରୁଥିବାବେଳେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ଗ୍ରାମର କେତେଜଣ ଯୁବକ ଏକ ନିଛାଟିଆ ସ୍ଥାନରେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ବାମହାତ ମଣିବନ୍ଧରୁ ଅଲଗା ହୋଇଯାଇଥିଲା। ପରିବାର ଲୋକେ ଉକ୍ତ ହାତ ସହିତ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରକାଶଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏସ୍‌ସିବିର ଜରୁରିକାଳୀନ ବିଭାଗରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ନିଆଯାଇଥିଲା। କଟାହାତ ଯୋଡ଼ା ହେବା ନିମନ୍ତେ ତ୍ୱରିତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ରାତି ୮ଟାରୁ ହାତକଟି ଥିବାବେଳେ ରାତି ପ୍ରାୟ ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ଜଟିଳ ଅସ୍ତ୍ରୋପଚାର ଚାଲିଥିଲା। ପ୍ଲାଷ୍ଟିକ ସର୍ଜରି ବିଭାଗର ଡାକ୍ତରୀ ଟିମ୍‌ ପ୍ରାୟ ୬ ଘଣ୍ଟାର ପରିଶ୍ରମ କରି ଯୁବକଙ୍କ କଟାହାତର ପ୍ରତିଟି ଶିରା, ପ୍ରଶିରା ସହ ହାଡ଼କୁ ଯୋଡ଼ିବା ପାଇଁ ଅତି ସୂକ୍ଷ୍ମ ଅସ୍ତ୍ରୋପଚାର କରିଥିଲେ। ଯାହାଦ୍ୱାରା ପ୍ରକାଶ ତାଙ୍କ ପୂର୍ଣ୍ଣ ହାତ ଫେରିପାଇଲେ। ପ୍ଲାଷ୍ଟିକ ସର୍ଜରି ବିଭାଗର ମୁଖ୍ୟ ପ୍ରଫେସର ଡା. ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୧୦ ଜଣିଆ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ। ସେମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ସର୍ଜରି ବିଶେଷଜ୍ଞ ଡା. ପ୍ରଶାନ୍ତ ବଳ, ଡା. ବିଷ୍ଣୁପଦ ନାୟକ, ଡା. ସୂର୍ଯ୍ୟ ମଲ୍ଲିକ, ଡା. ଆଶିଷ ପଟ୍ଟନାୟକ, ଡା. ଜିବିତେଶ ବେହେରା, ଡା. ବିନୟ ସାହୁ, ନିଶ୍ଚେତକ ବିଭାଗର ଡା. ଦେବ ମହାନ୍ତି ଓ ତାଙ୍କ ଟିମ୍‌ ଏବଂ ଅସ୍ଥିଶଲ୍ୟ ବିଭାଗର ଡା. ବି. ଏସ୍‌. ଲେଙ୍କା ଓ ତାଙ୍କ ଟିମ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏନେଇ ପ୍ଲାଷ୍ଟିକ ସର୍ଜରି ବିଭାଗ ପକ୍ଷରୁ ବିଭାଗ ସମ୍ମିଳନୀ କକ୍ଷରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭାଗୀୟ ମୁଖ୍ୟ ପ୍ରଫେସର ନାୟକ ସୂଚନା ଦେଇଛନ୍ତି।