ଇସଲାମାବାଦ୍,୨୯।୯: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନିଙ୍କ ସମସ୍ୟା ବଢିଛି। ଅକ୍ଟୋବର ୨୪ରେ ତୋସାଖାନା ମାମଲାରେ ହାଜର ହେବା ପାଇଁ ଇସଲାମାବାଦ କୋର୍ଟ ଜର୍ଦାରୀ ଏବଂ ଗିଲାନୀଙ୍କୁ ଡକାଇଛନ୍ତି। ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସରକାର ସମୟରେ ନକଲି ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ଥିବା ତଥା ସରକାରୀ ଉପହାର ଭଣ୍ଡାରର ଅପବ୍ୟବହାର ଅଭିଯୋଗରେ ଏହି ସମନ ଜାରି କରାଯାଇଛି। ଯାହା ତୋସାଖାନା ନାମରେ ଜଣାଶୁଣା।
ଇସଲାମାବାଦ ଆକାଉଣ୍ଟବିଲିଟି କୋର୍ଟର ପ୍ରଶାସନିକ ବିଚାରପତି ମହମ୍ମଦ ବଶିର ଉଭୟ ନେତାଙ୍କୁ ଡକାଇ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ରେ ଜାତୀୟ ଆକାଉଣ୍ଟବିଲିଟି ବ୍ୟୁରୋ ଜର୍ଦାରୀ, ଗିଲାନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।