
ଛତ୍ରପୁର, ୧୩।୨(ଦିଲ୍ଲୀପ ସାମଲ):: ଏବେ ବିଭିନ୍ନ ମନ୍ଦିର ଉପରେ ଚୋରଙ୍କ ଟାର୍ଗେଟ। ବହୁ ସ୍ଥାନରେ ଏବେ ମନ୍ଦିରଗୁଡିକରେ ଦୃର୍ବୃତ୍ତମାନେ ଚୋରି କରୁଥିବା ଦେଖିବାକୁ ମିଳୁଛି। ଛତ୍ରପୁର ଜାତୀୟ ରାଜପଥ କଡରେ ଥିବା ମା’ ଉଜଳେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିବା ଥାନାରେ ଆଜି ଅଭିଯୋଗ ହୋଇଛି। ମା’ଙ୍କ ସୁନା ଅଳଙ୍କାର ସମେତ ଘଣ୍ଟି ଓ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ ହୋଇଛି। ପୂଜା ଦୋକାନର ଦୁଇଟି ତାଲା ଭଙ୍ଗାଯାଇଛି। ସେହିଭଳି ରୋଷଇଗୃହରେ ଲିଙ୍ଗା ରେଡି ନାମକ ଜଣେ ବେକ୍ତି ଶୋଇଥିଲେ ତାଙ୍କୁ ମଧ୍ୟ ବାହାର ପଟରୁ ବନ୍ଦ କରି ଦିଆଯାଇଥିଲା। ଏନେଇ ଆଜି ମନ୍ଦିର କମିଟି ପକ୍ଷରୁ ଛତ୍ରପୁର ଥାନାରେ ଅଭିଯୋଗ କରାଯାଇଛି। ସୂଚନା ଥାଉକି ଆଜି ସକାଳୁ ପୂଜକ ଆସି ଦେଖିବା ବେଳେ ମା’ଙ୍କ ସୁନା ଅଳଙ୍କାର ଓ ହୁଣ୍ଡି ଭାଙ୍ଗିଥିବା ଦେଖିଥିଲେ। ପରେ ପୂଜକ ଜଣକ କମିଟିକୁ ଅବଗତ କରାଇଥିଲେ।