ଭୁବନେଶ୍ୱର,୨୭ା୧: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଘଟଣାକୁ ୨୪ ଘଣ୍ଟା ପୂରିଯାଇଥିଲେ ମଧ୍ୟ ପୋଲିସକୁ ଲୁଟେରା ସମ୍ପର୍କରେ କୌଣସି ସୁରାକ ମିଳିନାହିଁ। ଉକ୍ତ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନିରଞ୍ଜନ। ନିରଞ୍ଜନ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୋ ଭୁବନେଶ୍ବର ଘରେ ଚୋରି ହୋଇଛି। ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ବବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସେ କହିଛନ୍ତି, ସରକାରଙ୍କ ଅବହେଳା ଯୋଗୁ ଆଜି ଆମ ଘର ଆମ ସାହି ଓ ଆମ ସମ୍ପଦ ବିପଦରେ । ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ବରକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ନିରଞ୍ଜନ।
ସୂଚନଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ନିରଞ୍ଜନଙ୍କ ନୟାପଲ୍ଲୀ ଆଇଆର୍ସି ଭିଲେଜ ଏନ୍-୩ସ୍ଥିତ ଘରୁ ଚୋରି ହୋଇଥିଲା। ଯେଉଁ ଘରେ ପୁଅ ବୋହୂ , ନାତିଙ୍କ ସହ ରୁହନ୍ତି ନିରଞ୍ଜନ । ଏତେ ହାଇ ସିକ୍ୟୁରିଟି ଜୋନ୍ରେ ଥାଇ ଭିଆଇପି ଏରିଆ ହୋଇ ରାତି ଅଧରେ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଘରୁ ୫୦ ଲକ୍ଷ ଟଙ୍କାର ଗହଣା ଏବଂ ନଗଦ ଅଢେଇ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ତାହା ପୁଣି ମାଷ୍ଟର ବେଡ୍ରୁମରେ ପଶି ଲୁଟେରା ଲୁଟିଛି। ସିସିଟିଭିରେ ସବୁକିଛି କଏଦ ହୋଇଛି। ଯଦିଓ କ୍ୟାମେରାରେ ଜଣଙ୍କୁ ଦେଖିବାକୁ ମିଳିଛି ଏହି ଘଟଣା ଅନ୍ୟମାନେ ସମ୍ପୃକ୍ତ ଥିବେ ବୋଲି କୁହାଯାଉଛି।
ନିରଞ୍ଜନଙ୍କ ପୁଅ ବୋହୂ ସାତପଡ଼ା ବୁଲିବାକୁ ଯାଇଥିବାବେଳେ ଘରେ ପଶିଥିଲେ ଲୁଟେରା। ନିଜେ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଫାଷ୍ଟ ଫ୍ଲୋର୍ରେ ଶୋଇଥିଲେ। ମାତ୍ର ଚୋରି ବିଷୟରେ କିଛି ଜାଣିପାରିନଥିଲେ। ବିଭିନ୍ନ ଦିଗକୁ ନେଇ ପୋଲିସ କମିଶନର, ଉଭୟ କଟକ ଓ ଭୁବନେଶ୍ବର ଡିସିପି ଛାନ୍ଭିନ୍ ଚଳାଇଛନ୍ତି।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବେଗ ପ୍ରକାଶ କରିବା ସହ ଫୋନ କରି ନିରଞ୍ଜନଙ୍କଠାରୁ ସବୁକିଛି ବୁଝିଥିଲେ। ଅନ୍ୟପକ୍ଷରେ ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ଲୁଟେରାର ପତ୍ତା ପାଇନି ପୋଲିସ। ଯାହାକୁ ନେଇ ନାନା ପ୍ରଶ୍ନ ଉଠୁଛି।