ସାକ୍ଷୀଗୋପାଳ,୨୫ା୭(ଡି.ଏନ୍.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ବେଢ଼ା ମଧ୍ୟରେ ସୋମନାଥ ମହାପାତ୍ରଙ୍କ ଖଟଣି ରୋଷଘରୁ ଚୋରି ହୋଇଛି। ଏନେଇ ସୋମନାଥଙ୍କ ଭାଇ ରମାକାନ୍ତ ମହାପାତ୍ର ମନ୍ଦିର ସୁପରଭାଇଜରଙ୍କ ନିକଟରେ ରବିବାର ସକାଳୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭକ୍ତ ମାନଙ୍କ ବରାଦି ଭୋଗ ପ୍ରସ୍ତୁତ ନିମନ୍ତେ ମନ୍ଦିର ବେଢ଼ା ଅନ୍ତର୍ଗତ ଦକ୍ଷିଣ ପଶ୍ଚିମ କୋଣରେ ଖଟଣି ରୋଷଶାଳା ରହିଛି। ତନ୍ମଧ୍ୟରୁ ଗୋଟିଏ ରୋଷଘରେ ସୋମନାଥ ରଖିଥିବା ୧ ଟି ପିତ୍ତଳ, ୬ ଟି ଆଲୁମିନିୟମ ଥାଳି, ଗୋଟିଏ ଅମାଲୁ ତଇ ଓ କଡ଼େଇ ଦୁର୍ବୃତ୍ତମାନେ କବାଟ ତାଡି ନେଇଯାଇଛନ୍ତି। ମନ୍ଦିର ଭିତରେ ଲଗାଯାଇଥିବା ସିସି କ୍ୟାମେରା ଅଚଳ ହୋଇ ପଡ଼ିଥିବା ବେଳେ ରାତି ଜଗୁଆଳ ବ୍ୟବସ୍ଥାକୁ ଖାତିର ନ କରି ଦୁର୍ବୃତ୍ତମାନେ ଚୋରି କରିବାରେ ସଫଳ ହୋଇଛନ୍ତି। ବେଢା ପ୍ରାଚୀର ଡେଇଁ କେହି ସ୍ଥାନୀୟ ଯୁବକ ଏହି କାଣ୍ଡ ଭିଆଇଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ମନ୍ଦିର ଭଣ୍ଡାରରେ ରହିଥିବା ଠାକୁରଙ୍କ ସୁନା ରୁପା ଓ ଲକ୍ଷାଧିକ ଟଙ୍କାର ଅଳଙ୍କାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପରଭାଇଜର ବିଶ୍ବନାଥ ମହାପାତ୍ର କହିଛନ୍ତି। ତୁରନ୍ତ ସିସି କ୍ୟାମେରା କାର୍ଯ୍ୟକ୍ଷମ କରିବା ସହ ଏ ଦିଗରେ କଡ଼ା ପଦକ୍ଷେପ ନେବାକୁ ସେବାୟତ ସଂଘ ସଭାପତି ରାମଚନ୍ଦ୍ର ମହାପାତ୍ର ଦାବି କରିଛନ୍ତି।