ସାକ୍ଷୀଗୋପାଳ ମନ୍ଦିରରୁ ଚୋରି: ରାଧାଙ୍କ ଶ୍ରୀଅଙ୍ଗରୁ ଖୋଲିନେଲେ ଅଳଙ୍କାର

ସାକ୍ଷୀଗୋପାଳ,୧୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ସାକ୍ଷୀଗୋପାଳ ବେଢ଼ା ଭିତରେ ପଶି ପାର୍ଶ୍ୱମନ୍ଦିର ଚଳନ୍ତି ପ୍ରତିମା ମଦନ ମୋହନ ଦେବ ଓ ଗୋପିନାଥଙ୍କ ସହିତ ରାଧାଙ୍କ ଶ୍ରୀଅଙ୍ଗରୁ ସୁନା ରୁପା ଅଳଙ୍କାର ଲୁଟିନେଇଛନ୍ତି। ଏହାସହ ୨ଟି ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଉଠାଇ ନେବାରେ ସକ୍ଷମ ହୋଇଛନ୍ତି। ତମାଳ ଗଛମୂଳେ ସ୍ଥାପିତ ହୁଣ୍ଡି ତାଲା ଭାଙ୍ଗି ସମସ୍ତ ଟଙ୍କା ପଇସା ଲୁଟି ନେଇଛନ୍ତି । ମନ୍ଦିର ପରିସରରେ ଥିବା ଖଟଣି ରୋଷଘର ମଧ୍ୟରେ ୨ଟି ଭାଙ୍ଗା ହୁଣ୍ଡି ଛାଡି ଯାଇଛନ୍ତି ।
ମନ୍ଦିର ପରିଦର୍ଶକଙ୍କ  କାର୍ଯ୍ୟାଳୟ  ତାଲା ଭାଙ୍ଗି  ସିସି କ୍ୟାମେରା ମନିଟର  ସହ ମାଇକ ସେଟ୍‌  ଚୋରିକରି ନେଇ ଯାଇଛନ୍ତି । ଚୋରମାନେ ମନ୍ଦିର ଦକ୍ଷିଣ ଦ୍ୱାର ପାଚେରି ଡେଇଁ ମନ୍ଦିରକୁ ପ୍ରବେଶ କରିବାପରେ ୬ଟି ତାଲା ଭାଙ୍ଗିଥିବାର ଜଣାପଡ଼ିଛି ।
ପୋଲିସ ସିସି କ୍ୟାମେରା ହାର୍ଡ ଡିସ୍କଟିକୁ ଜବତ କରି ନେଇଛିି।
ଅତିରିକ୍ତ ଏସ୍‌ପି ବିଷ୍ଣୁ ପ୍ରସାଦ ପତି, ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା, ଏସ୍‌ଆଇ ସୁରମା ସ୍ବାଇଁ  ଓ ଫରେନସିକ୍‌ ଟିମର ବିରଜା ପ୍ରସାଦ ସାମଲ ଆଙ୍ଗୁଳି ଛାପ ବିଶେଷଜ୍ଞ, ଜିଲା ଅପରାଧ ତଦନ୍ତ ବିଜ୍ଞାନାଗାର ଅଧିକାରୀ ଆଦିତ୍ୟ ରଞ୍ଜନ ନାୟକ  ଓ ଫଟୋଗ୍ରାଫର ରମେଶ ବାରିକଙ୍କ ସମେତ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ସ୍ଥାନୀୟ ଅଞ୍ଚଳର ପେଶାଦାର ଅପରାଧୀଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା କରୁଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ମଦନମୋହନଙ୍କ ନୀତି କରିବା ସମ୍ଭବ ନ ହେବାରୁ  ଠାକୁରଙ୍କ ପହିଲି ଭୋଗ ନୀତି ବିଳମ୍ବ ହୋଇଥିଲା।
Share