କରୋନା ଆକ୍ରାନ୍ତଙ୍କ ଘରୁ ଚୋରି

ଚୌଦ୍ୱାର,୧୫।୮(ଡି.ଏନ୍‌.ଏ.): ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା ଓ ଅନ୍ଧାରର ସୁଯୋଗ ନେଇ ଜଣେ କରୋନା ଆକ୍ରାନ୍ତଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ଏହା ଚୌଦ୍ୱାର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।

ସୂଚନା ଅନୁଯାୟୀ, ଚୌଦ୍ୱାର ଓଟିଏମ୍‌ କଲୋନୀ ସତ୍ୟନାରାୟଣ ମନ୍ଦିର ପଛପଟେ ରହୁଥିବା ଜଣେ ବ୍ୟକ୍ତି ଦୃର୍ଘଟଣାରେ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ବର୍ତମାନ ସେ ଚିକିତ୍ସାଧିନ ଅଛନ୍ତି। ତାଙ୍କର ପଜିଟିଭ୍‌ ବାହାରିବା ପରେ ପରିବାରର ଅନ୍ୟ ୪ଜଣ ସଦସ୍ୟଙ୍କୁ ମଧ୍ୟ ହୋମ୍‌ କ୍ୱାରେଣ୍ଟିନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ଘରେ ଏତେ ଜାଗା ନଥିବା ହେତୁ ପରିବାର ଅନ୍ୟତ୍ର ରହୁଥିଲେ। ଘରେ ତାଲା ପକାଇ ସମସ୍ତେ ଚିକିତ୍ସା ଅବସ୍ଥାରେ ଥିବା ବେଳେ ଏହାର ସୁଯୋଗ ନେଇ ଚୋର ତାଙ୍କ ଘରୁ ଲାପଟପ୍‌, ଟିଭି, ସୁନାଗହଣା ସହ ନଗଦ ୪୦ହଜାର ଟଙ୍କା ସମେତ ବହୁ ଆସବାବପତ୍ର ଚୋରି କରିନେଇଛନ୍ତି। ତେବେ ପରିବାର ଲୋକେ ପଡ଼ୋଶୀଙ୍କ ଠାରୁ ଖବର ପାଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଚୌଦ୍ୱାର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Share