ସାକ୍ଷୀଗୋପାଳ, ୧୪।୨(ଡି.ଏନ୍.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ନିକଟ ନୂଆ ସୋମେଶ୍ୱରପୁର ଗ୍ରାମର ଗୋପିନାଥ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିର ମୁଖ୍ୟଦ୍ବାର ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିଥିଲେ। ସିଂହାସନରେ ପୂଜା ପାଉଥିବା ଜୟଦୁର୍ଗା, ରାଧାକୃଷ୍ଣ, ପାର୍ବତୀ, ଚନ୍ଦଶେଖର ଓ ଅନ୍ୟ ସମସ୍ତ ଛୋଟ ଛୋଟ ଅଷ୍ଟଧାତୁ ମୂର୍ତ୍ତି ସହିତ ବଡ଼ ପିତଳ ପ୍ରଭା ନେଇଯାଇଛନ୍ତି। ପ୍ରାୟ ଏକ କୁଇଣ୍ଟାଲ ଓଜନର ମୂର୍ତ୍ତି ଗୁଡ଼ିକର ମୂଲ୍ୟ ୬ ରୁ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ପୂଜକ ମୃତ୍ୟୁଞ୍ଜୟ ପଣ୍ଡା ସକାଳୁ ମନ୍ଦିର ଖୋଲିାବାକୁ ଆସି ଚୋରି ହୋଇଥିବା ଜାଣିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମ ସଭାପତିଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। କେସ ନଂ. ୫୬/ ୨୨ ରେ ଏକ ମାମଲା ରୁଜୁ କରାଯାଇ ସାଇଣ୍ଟିଫିକ୍ ଟିମସହ ପିପିଲି ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି।