ମନ୍ଦିରରୁ ଚୋରି: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭଦ୍ରକ ଅଫିସ,୨୨।୭: ମନ୍ଦିରରେ କଳାକନା ବୁଲାଇଲେ ଡକାୟତ। ଭଦ୍ରକ ଜାନୁଗଞ୍ଜସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରୁଥିବା ସମୟର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ ଫିଙ୍ଗିବା ସହ ସେଥିରୁ ଟଙ୍କା ନେଇଯାଇଥିବା ଜଣାପଡ଼ିଛି। ଠାକୁରଙ୍କର ମୁକୁଟ ସହ ଅନେକ କିଛି ଜିନିଷ ଚୋରି ହୋଇଥିବା ନେଇ ସୂଚନା ରହିଛି। ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ମନ୍ଦିର ଗ୍ରୀଲର ତାଲା ଭାଙ୍ଗି ଡକାୟତି କରିଛନ୍ତି ଦୁର୍ବୃତ୍ତ। ଗୁରୁବାର ସକାଳେ କିଛି ଲୋକ ମନ୍ଦିର ଆସିଥିବା ସମୟରେ ଦାନ ବାକ୍ସଟି ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ମନ୍ଦିର ଗ୍ରୀଲ ଖୋଲିଲା ବେଳକୁ ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି। ପୂର୍ବରୁ ବି ଅନେକଥର ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିସାରିଛି।

Share