କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ

ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ ଟିମ୍‌ ଉକ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।

ସୂଚନାନୁସାରେ, ଚଳିତମାସ ୧୮ ତାରିଖରେ କାଳିମେଘି ଗ୍ରାମର ସଙ୍ଗୀତା ସ୍ବାଇଁ ଘରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଚୋରମାନେ ଘରେ ପଶି କାଠ ଆଲମିରା ଭାଙ୍ଗି ସୁନା, ରୁପା ଓ ନଗଦ ଟଙ୍କା ଚୋରି କରି ନେଇ ଯାଇଥିବା ଥାନାରେ ଅଭିଯୋଗ କରିଥିଲେ ସଙ୍ଗୀତା। ଏନେଇ ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଆଜି ଥାନା ପରିସରରେ ସୂଚନା ଦେଇଛନ୍ତି କୋଦଳା ଥାନାଧିକାରୀ ଉମାକାନ୍ତ ସାହୁ। ତେବେ କାଳିମେଘିରୁ ଚୋରି କରିଥିବା ନେଇ ଉକ୍ତ ଅଭିଯୁକ୍ତମାନେ ମାନିଥିଲା ବେଳେ ପୁସ୍ତପୁରଠାରେ ଥିବା ଏକ ଲୁହା ଦୋକାନ ସମେତ, କବିସୂର୍ଯ୍ୟନଗର ଥାନାର ବଡ଼ ଖରିଡ଼ା ମେଡିକାଲରୁ କମ୍ପ୍ୟୁଟର ଓ ଆସବାବପତ୍ର, ପ୍ରାଣଦେଇପୁରର ଏକ ଘରୁ ମଧ୍ୟ ଚୋରି କରିଥିବା ନେଇ ସ୍ବୀକାର କରିଥିଲେ ୪ ଅଭିଯୁକ୍ତ। ମୋଟ୍‌ ୫ଟି ମାମଲାରେ ବହୁ ଜିନିଷପତ୍ର ସହ ନଗଦ ୫୦ ହଜାର ଟଙ୍କା ଉଦ୍ଧାର କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ କୋଦଳା ଥାନା ଅନ୍ତର୍ଗତ ମାରୁଡିପଲ୍ଲୀର ଜଗା ପାତ୍ର, ଜାପାନ ପାତ୍ର ଓ ରାଜୁ ପାତ୍ର। ସେହିପରି ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁରର ଆଉ ଜଣେ ଅଭିଯୁକ୍ତ ଟୁକୁନା ନାୟକ। ଏନେଇ ୩୩୯/୨୦୨୩ରେ ମାମଲା ରୁଜୁ କରାଯାଇ ସମସ୍ତ ୪ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଆବଶ୍ୟକ ହେଲେ ପୋଲିସ ରିମାଣ୍ଡରେ ଆଣିବ ବୋଲି ମଧ୍ୟ ଜଣାପଡ଼ିଛି।

Share