ଗୋଟିଏ ଦିନରେ ଲୁଟିନେଲେ ୧୩ ଭରି ସୁନା

ରାୟଗଡା,୧୪।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଚୋରି ବଢିବାରେ ଲାଗିଛି। କିଛି ଦିନ ଚୋରି ବନ୍ଦ ହେବା ପରେ ପୁଣି ଚାଲାକ ଭାବେ ଭିନ୍ନ ଭିନ୍ନ ଗଳିରେ ବନ୍ଦ ରହିଥିବା ଘରକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗର ଓ ରୟତ କଲୋନୀ ଅଞ୍ଚଳରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସାଇପ୍ରିୟା ନଗର ପାଣି ଟାଙ୍କି ନିକଟସ୍ଥ ଏକ ଲେନର ଘରେ ତାଲା ପଡିଥିବା ଦେଖି କଳାକନା ବୁଲାଇ ନେଇଛନ୍ତି ଦୁର୍ବୃତ୍ତ। ଘରୁ ଲୁଟି ନେଇଛନ୍ତି ପ୍ରାୟ ୧୫୦ ଗ୍ରାମ ସୁନା, ୨୬୦ଗ୍ରାମ ରୂପା ଏବଂ ୧୭ ହଜାର ନଗଦ ଟଙ୍କା। ଚୋରି ହୋଇଥିବା ସୁନା ଗହଣାରେ ୫ ହାତମୁଦି, ୮ହଳ କାନଫୁଲ, ମଙ୍ଗଳସୂତ୍ର, ନେକ୍ଲେସ ଓ ଗୋଟିଏ ସୁନା ଖଣ୍ଡ ରହିଥିବା ପରିବାରବର୍ଗ ସୂଚନା ଦେଇଛନ୍ତି।
ସେହିଭଳି ରୟତ କଲୋନୀ ୧୩ନଂ ଲେନ୍‌ର ଏକ ଘରେ ତାଲା ପଡିଥିବାବେଳେ ସେଠାରୁ ଗୋଟିଏ ମୁଦି ଓ ଚେନ ସମେତ ପ୍ରାୟ ୭୦ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଉକ୍ତ ଘର ପଡ଼ି ରହିଥିବା ଏକ ଘରର ମଧ୍ୟ ତାଲା ଭାଙ୍ଗିଥିବା ଦେଖିବାକୁ ମିଳିଛି। ତେବେ ଘର ମାଲିକ ଆସିନଥିବା ଯୋଗୁଁ ଚୋରି ନେଇ କୌଣସି ତଥ୍ୟ ମିଳିପାରିନାହିଁ। ଉଭୟ ଘରେ କେହି ନ ଥିବା ସମୟରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଏନେଇ ପୋଲିସରେ ମାମଲା ମଧ୍ୟ ରୁଜୁ କରିଛନ୍ତି।
ସହରରେ ତାଲା ବନ୍ଦ ହେବା ମାତ୍ରେ ଘରୁ ଲୁଟି ନେଉଛନ୍ତି ଚୋର। ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ କରିବା ପାଇଁ ଲଗାଯାଇଥିବା ସିସି କ୍ୟାମେରା ଗାଡ଼ି ଯାଞ୍ଚ, ଚାଲାଣ ଆଦିରେ ସହାୟକ ହେଉଥିବା ବେଳେ ଚୋରି ରୋକିବାରେ ଏହା ଅକ୍ଷମ ବୋଲି ସାଧାରଣରେ ଆଲୋଚନା ଚାଲିଛି । ସାଇପ୍ରିୟା ନଗର ବାସିନ୍ଦା ସିଏଚ.ଗୁରୁମୂର୍ତି ଶିକ୍ଷକତାରୁ ଅବସର ନେବା ପରେ ନିଜ ଭବିଷ୍ୟତ ପାଇଁ ସମ୍ପତି ସୁରକ୍ଷିତ ରଖିଥିଲେ। ହେଲେ ଦୁର୍ବୃତ୍ତ ସବୁ ଲୁଟିନେଲେ। ସେହିଭଳି ରୟତ କଲୋନୀ ବାସିନ୍ଦା ତଥା ପୋଲିସ ଆଇଆରବି ଷ୍ଟାଫ ଚୈତନ୍ୟ ଗମାଙ୍ଗ ଝିଅ ବାହାଘର ପାଇଁ ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତ କଳାକନା ବୁଲାଇଦେଇଥିଲେ। ଏସଡିପିଓ ରଶ୍ମିରଞ୍ଜନ ସେନାପତି କହିଛନ୍ତି ଯେ, ପୋଲିସ ଘଟଣାକୁ ଗୁରୁତର ସହିତ ନେଇଛି ଏବଂ ଟ୍ରାକିଂ ଚାଲିଛି। ଖୁବ ଶୀଘ୍ର ଚୋରଙ୍କୁ କାବୁ କରାଯିବ ବୋଲି କହିଛନ୍ତି।

Share