୫୦୦ ଟନ୍‌ର ଲୁହା ପୋଲ ଚୋରି, ଅଫିସର ଭାବେ ପରିଚୟ ଦେଇଥିଲେ ଚୋର…

ରୋହତାସ, ୯।୪ : ବିହାରର ରୋହତାସ ଜିଲାରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନକଲି ଅଫିସର ଭାବରେ ନିଜକୁ ପରିଚୟ ଦେଇ ଚୋରମାନେ ୬୦ ଫୁଟ ଲମ୍ବ ୧୨ ଫୁଟ ଉଚ୍ଚା ଏବଂ ୫୦୦ ଟନ ଓଜନର ଲୁହା ପୋଲକୁ ତିନି ଦିନ ମଧ୍ୟରେ ଚୋରାଇ ନେଇଛନ୍ତି।

ଚୋରମାନେ ଜଳସେଚନ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ପୋଲ କାଟି ଗାଡିରେ ଭର୍ତ୍ତି କରି ଚୋରି କରିଥିଲେ। ଦିବାଲୋକରେ ଏହି ଚୋରି ଘଟିଥିଲା ଏବଂ କେହି ସନ୍ଦେହ ମଧ୍ୟ କରିନଥିଲେ । ଏହି ଘଟଣା ନାସିରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଅମିଆବର୍‌ରେ ଘଟିଛି।

୧୯୭୨ ମସିହାରେ ୫୦ ବର୍ଷ ତଳେ ଆରା କେନାଲ ଉପରେ ଏହି ଲୁହା ପୋଲ ନିର୍ମାଣ କରାଯାଇଥିଲା। ଚୋରମାନେ ଏହି ଏହାକୁ ଚତୁରତାର ସହ କାଟି ଟ୍ରକରେ ଏହାର ଲୁହା ଲୋଡ କରିଥିଲେ। ପୋଲ କାଟିବା ପାଇଁ ବୁଲଡୋଜର, ଗ୍ୟାସ କଟର ମଧ୍ୟ ବ୍ୟବହୃତ ହେଉଥିଲା । ଏତେବଡ଼ ଘଟଣା ଘଟିଥିଲେ ବି କୌଣସି ସରକାରୀ ଅଧିକାରୀଙ୍କୁ ଏସମ୍ପର୍କରେ କିଛି ସୂଚନା ମିଳିପାରି ନଥିଲା।

ଜଳସେଚନ ବିଭାଗର ଅଧିକାରୀ ଭାବରେ ଗାଁରେ ଚୋରମାନେ ପହଞ୍ଚି ବିଭାଗୀୟ ନିର୍ଦ୍ଦେଶ ପାଳନ କରି ପୋଲ କାଟିବା ଆରମ୍ଭ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଜୁନିଅର ଇଞ୍ଜିନିୟର ଅର୍ଶଦ କମାନ ଶାମସି କହିଛନ୍ତି ଯେ ଚୋରଙ୍କ ବିରୋଧରେ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି।

ଲୁହା ପୋଲଟି କଳଙ୍କି ଲାଗି ଯାଇଥିଲା। ତେଣୁ ବିଭାଗ ତରଫରୁ ଏକ କଂକ୍ରିଟ୍‌ ପୋଲ ତିଆରି କରାଯାଇଥିଲା । ଗ୍ରାମବାସୀମାନେ ବହୁ ବର୍ଷ ଧରି ଏହି ପୁରୁଣା ଲୁହା ପୋଲକୁ ହଟାଇବା ପାଇଁ ଆବେଦନ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ଚୋରମାନେ ଏହାର ସୁଯୋଗ ନେଇ ଆରାମରେ ନିଜ କାମ କରିଥିଲେ।

Share