କର୍ମଚାରୀଙ୍କ ସହ ମିଶି କରିଥିଲେ ଡିଜେଲ ଚୋରି: ପଡ଼ିଲା ମହଙ୍ଗା

ସୁନାବେଡ଼ା,୧୨ା୩ (କୃତ୍ତିବାସ ପ୍ରଧାନ): ସୁନାବେଡ଼ା ଥାନାରେ ଗତ ଫେବୃୟାରୀ ୨୭ରେ ଏକ ଚୋରି ମାମଲା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି କେସ୍‌ ନଂ. ୪୯/୨୪ରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ଗୌରାଙ୍ଗ ସାହୁ ଏହାର ତଦନ୍ତ କରୁଥିଲେ। ରବିବାର ଏଥିରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫକରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଚେରେଙ୍ଗାଗୁଡ଼ା ଗାଁର ଟିଲୁ କୁଳଦୀପଙ୍କ ପୁଅ ଅଜିତ (୨୭) ଓ ଡମ୍ବରୁ ନାୟକଙ୍କ ପୁଅ କରଣ(୨୩), ଦଣ୍ଡାସିଗୁଡ଼ା ଗାଁର ନାରାୟଣ ହନ୍ତାଳଙ୍କ ପୁଅ ରାମ (୨୪), ଉତ୍ତର ପ୍ରଦେଶର ଦେଓରିଆ ଜିଲା ରାମଧ୍ୟାନ ଯାଦବଙ୍କ ପୁଅ ମନଜିତ (୩୧), ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା କୋଟା ସସନାମ ଅଞ୍ଚଳର ବେପାଳ ତ୍ରିନାଥଙ୍କ ପୁଅ ବେପାଳ ((୨୮)। ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ୬ଥାକିଆ ରାସ୍ତା ଭାରତମାଳା ପ୍ରକଳ୍ପର ଚେରେଙ୍ଗାଗୁଡା କ୍ୟାମ୍ପ୍‌ରେ ପଶି ଦୁର୍ବୃତ୍ତମାନେ ଡିଜେଲ, ଲୁହା ରଡ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସେହି ପ୍ରକଳ୍ପର ୨ କର୍ମଚାରୀ ଥିବା ଜଣାପଡ଼ିଛି।

Share