ଆମେରିକା ଶପିଂ ମଲ୍‌ରୁ ସାମଗ୍ରୀ ଚୋରି ବୃଦ୍ଧି

ନ୍ୟୁୟର୍କ,୪ା୯: ଆମେରିକାରେ ଖୁଚୁରା ଦୋକାନ, ଶପିଂ ମଲ୍‌ଗୁଡ଼ିକରେ ଟୁଥ୍‌ପେଷ୍ଟ, ଚକୋଲେଟ, ଓ୍ବାଂଶି ପାଉଡର, ଡିଓଡାର୍ଣ୍ଟସ୍‌ ଭଳି ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଚୋରି ବୃଦ୍ଧି ପାଉଛି। ଏହାକୁ ଏଡ଼ାଇବା ପାଇଁ ଦୋକାନ ଏବଂ ଶପିଂ ମଲ୍‌ ମାଲିକମାନେ ଉକ୍ତ ସାମଗ୍ରୀଗୁଡ଼ିକୁ ତାଲା ପକାଇ ରଖୁଛନ୍ତି। ଆମେରିକାରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ଦରଦାମ ଆକାଶଛୁଅଁା ହୋଇଛି। ଫଳରେ ଜୀବନଯାପନ ମହଙ୍ଗା ହୋଇଛି। ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇବା ସହ ଷ୍ଟୋରଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ ଚୋରି ଭଳି ଅପରାଧ ବୃଦ୍ଧି ପାଇଛି। ପ୍ରମୁଖ ରିଟେଲ୍‌ ଷ୍ଟୋର ତଥା ଓ୍ବାଲ୍‌ମାର୍ଟ, ଟାର୍ଗେଟ୍‌, ସିଭିଏସ୍‌, ଓ୍ବାଲ୍‌ଗ୍ରୀନ୍‌ ସମେତ ହୋମ୍‌ ଡିପୋଟ୍‌, ଫୁଟ୍‌ ଲକର ଆଦି ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ସାମଗ୍ରୀ ଚୋରି ନେଇ ଚିନ୍ତା ପ୍ରକଟ କରାଯାଇଛି। ‘ଡିକ୍‌ସ ସ୍ପୋର୍ଟିଂ ଗୁଡ୍‌ସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଲରେନ ହୋବର୍ଟ କହିଛନ୍ତି ଯେ, ସଂଗଠିତ ରିଟେଲ କ୍ରାଇମ୍‌ ଏବଂ ସାଧାରଣ ଚୋରି ଖୁଚୁରା ବ୍ୟବସାୟୀମାନଙ୍କୁ ପ୍ରଭାବିତ କରୁଛି, ଯାହାକି ଏକ ଗମ୍ଭୀର ପ୍ରସଙ୍ଗ ହୋଇଛି।

ଏପରିକି ସାମଗ୍ରୀ ଚୋରିର ପ୍ରଭାବ ସଂସ୍ଥାର ବାର୍ଷିକ ବାଲାନ୍ସ ଓ ଦ୍ୱିତୀୟ ତୈୟମାସିକ ଫଳାଫଳ ଉପରେ ସ୍ପଷ୍ଟ ଦେଖିବାକୁ ମିଳୁଛି ବୋଲି ହୋବର୍ଟ କହିଛନ୍ତି। ସେହିପରି ଅନ୍ୟତମ ପ୍ରମୁଖ ରିଟେଲର ‘ଟାର୍ଗେଟ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରାଏନ୍‌ କର୍ନେଲ କହିଛନ୍ତି, ଚଳିତବର୍ଷର ପ୍ରଥମ ୫ ମାସ ମଧ୍ୟରେ ତାଙ୍କ ଷ୍ଟୋରରେ ସାମଗ୍ରୀ ଚୋରି ଘଟଣା ୧୨୦ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ ହିଂସା ମଧ୍ୟ ଦେଖିବାକୁ ମିଳୁଛି। ତାଙ୍କ ଟିମ୍‌ କ୍ରମାଗତ ଭାବେ ଗ୍ରହଣ ନ ହେବା ଭଳି ଖୁଚୁରା ସାମଗ୍ରୀ ଚୋରି ଏବଂ ଏ ସମ୍ପର୍କିତ ସଂଗଠିତ ଅପରାଧକୁ ସାମ୍ନା କରିଆସୁଛି ବୋଲି କର୍ନେଲ କହିଛନ୍ତି।

ଏଭଳି ସ୍ଥିତି ଋଣ ସୁଧହାର ବୃଦ୍ଧି ଯୋଗୁ ଘଟିଛି। କାରଣ ୧୮ ମାସ ମଧ୍ୟରେ ସୁଧହାର ଶୂନରୁ ପ୍ରାୟ ୫.୫% ଯାଏ ବୃଦ୍ଧି ପାଇଛି, ଯାହାକି ୨୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର। ବ୍ୟବସାୟୀମାନେ ଉଚ୍ଚ ସୁଧହାରରେ ଋଣ କରୁଥିବାରୁ ସାମଗ୍ରୀର ମୂଲ୍ୟବୃଦ୍ଧି ଘଟୁଛି, ଏହାର ପରିଣାମ ଗ୍ରାହକମାନଙ୍କୁ ଭୋଗିବାକୁ ପଡ଼ୁଛି।
ନ୍ୟାଶନାଲ ରିଟେଲ ଫେଡେରେଶନ ଦ୍ୱାରା ହୋଇଥିବା ରିଟେଲ ସୁରକ୍ଷା ସର୍ଭେ-୨୦୨୨ ଅନୁଯାୟୀ, କେବଳ ୨୦୨୧ରେ ସମଗ୍ର ଆମେରିକାରେ ଖୁଚୁରା ବ୍ୟବସାୟୀମାନେ ଆନୁମାନିକ ୯୪.୫ ବିଲିୟନ ଡଲାର ହରାଇଛନ୍ତି। ଏଭଳି ରିଟେଲ ସିଙ୍କ୍‌ (ଖୁଚୁରା ସଙ୍କୋଚନ)ର ଅର୍ଥ କର୍ମଚାରୀଙ୍କ ଦ୍ୱାରା ଚୋରି, ଦୋକାନରୁ ଚୋରି କିମ୍ବା ପ୍ରଶାସନିକ ତ୍ରୁଟି ଆଦି କାରଣରୁ ଷ୍ଟୋରର କ୍ଷତି। ସର୍ଭେରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ୨୦୨୧ରେ ହାରାହାରି ସଂଗଠିତ ରିଟେଲ କ୍ରାଇମ୍‌ ୨୬.୫% ବୃଦ୍ଧି ପାଇଥିଲା।

Share