ଦଳୀୟ ରାଜନୀତିରେ ଏବେ ବଡ଼ ବିସ୍ମୟକର ପରିସ୍ଥିତି ଅନୁଭୂତ ହେଉଛି। ୨୦୨୪ ନିର୍ବାଚନ ଘୋଷଣା ହେବାର ପ୍ରାକ୍ ଦୃଶ୍ୟପଟ ଜନସାଧାରଣଙ୍କ ମାନସିକତାକୁ ଦୋହଲାଇ ଦେଉଛି। କେଉଁ ଅଞ୍ଚଳରୁ ପ୍ରାର୍ଥୀ କିଏ ହେବ ସେଥିପାଇଁ ସବୁ ମହଲରେ ଅଙ୍କକଷା ଛିଡ଼ୁନାହିଁ। ଦେଖାଯାଇଛି ପୂର୍ବ ବର୍ଷଗୁଡ଼ିକରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖଯାଏ ଦଳୀୟ ପ୍ରାର୍ଥୀ ସ୍ଥିରୀକୃତ ହୋଇ ପାରି ନ ଥିଲେ। ଚଳିତ ନିର୍ବାଚନ ଦେଶ ଓ ରାଜ୍ୟଗୁଡ଼ିକ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଥିବା ଏବେଠୁ ଅନୁଭବ କରାଯାଉଛି। ରାଜ୍ୟଗୁଡ଼ିକ ଏଥର ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଆମ ଗଣତନ୍ତ୍ରରେ ନିର୍ବାଚନ ସମୟରେ ପ୍ରାର୍ଥିଚୟନ ଦଳୀୟ ନେତୃବୃନ୍ଦଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଥାଏ। କାରଣ ଏ କ୍ଷେତ୍ରରେ ସାମ୍ବିଧାନିକ କୌଣସି ଧାରା ନାହିଁ। ତେଣୁ ଦଳୀୟ ନେତୃବୃନ୍ଦଙ୍କୁ ସୁହାଇଲା ପରି ଅର୍ଥାତ୍ ବଶତା ସ୍ବୀକାର, ଦଳ ନେତୃତ୍ୱକୁ ସନ୍ତୁଷ୍ଟୀକରଣ କଲାଭଳି ପ୍ରାର୍ଥୀଙ୍କୁ ନିର୍ବାଚନରେ ଟିକେଟ ମିଳିଥାଏ। ସେ ବରଂ ଦେଶଦ୍ରୋହୀ ହୋଇଥାଉ, ତାଙ୍କ ନାମରେ ହଜାରେ ଆପରାଧିକ ମାମଲା ଥାଉ, ଦକ୍ଷତା, ବିଜ୍ଞତା ନଥାଉ; ସେମାନଙ୍କୁ ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ହେବା ପାଇଁ ଟିକେଟ ଦିଅନ୍ତି। ଆହୁରି ମଧ୍ୟ ଦେଖାଯାଇଛି, ଦଳ ପାଇଁ କିଏ କେତେ ଅର୍ଥ ଦେଇପାରୁଛି। ଚଳିତ ନିର୍ବାଚନର ପ୍ରାର୍ଥୀ ଚୟନକୁ ଦୃଷ୍ଟିଦେଲେ ଦେଖାଯାଏ ଗୋଟିଏ ଗୋଟିଏ ନିର୍ବାଚନମଣ୍ଡଳୀରୁ ୧୦/୧୫ ଭଳି ଆଶାୟୀ ପ୍ରାର୍ଥୀ ଯଥେଷ୍ଟ ପୁଞ୍ଜି ସହାୟତା ଦେବାକୁ ସମର୍ଥ ଅଛନ୍ତି। ନିର୍ବାଚନ ମଇଦାନରେ ଶକ୍ତି ପ୍ରଦର୍ଶନ କରିବାକୁ ମଧ୍ୟ ସକ୍ଷମ ଅଛନ୍ତି। ଏମାନେ ହେଲେ ଠିକାଦାର, ପୂର୍ବତନ ଜନପ୍ରତିନିଧି, କିଛି ଶିଳ୍ପପତି, ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟିପତିମାନେ। ଏମାନଙ୍କ ବ୍ୟତୀତ ଅନ୍ୟ କେହି ଦଳୀୟ ଟିକେଟ ପାଇବାକୁ ସକ୍ଷମ ହେବେ ନାହିଁ।
ଯାହା ମନେହୁଏ, ଚଳିତ ନିର୍ବାଚନରେ ଦଳଗୁଡ଼ିକରୁ ଏଭଳି ପ୍ରଥା ଏକ ବିରାଟ ବିପ୍ଳବର ସମ୍ମୁଖୀନ ହେବେ। କାରଣ ଚଳିତ ନିର୍ବାଚନ ପାଇଁ ଅନ୍ୟ ବର୍ଷଠାରୁ ୩/୪ ଗୁଣା ଆଶାୟୀ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି। ବିଶେଷକରି ବିଭିନ୍ନ ଦଳରେ ବହୁ ନିଷ୍ଠାପର କର୍ମୀ ଅଛନ୍ତି। ଯେଉଁମାନଙ୍କୁ ବା ଏହି ମାନଙ୍କ ଭଳି ଦଳୀୟ କର୍ମୀଙ୍କୁ ନେତୃବୃନ୍ଦ କୋଣଠେସା କରି ରଖି ଆସିଛନ୍ତି, ସେମାନଙ୍କ ପାଖରେ ଯଥେଷ୍ଟ ପୁଞ୍ଜି ନାହିଁ, କିନ୍ତୁ ଲୋକମାନଙ୍କ ସାଥିରେ, ଭଲରେ ମନ୍ଦରେ ରହି ଆସିଛନ୍ତି। ନିର୍ବାଚନ ସମୟରେ ସମର୍ଥନ ଦିଅନ୍ତି, ବାଡ଼ି ଧରନ୍ତି, ବୁଥ୍ ଦଖଲ କରି ଶାସକ ବା ବିରୋଧୀ ଦଳର କର୍ମୀଙ୍କୁ ଜିତାଇ ଆସୁଛନ୍ତି। ସେମାନେ ମଧ୍ୟ ୨୦୨୪ ନିର୍ବାଚନରେ ପ୍ରାର୍ଥିତ୍ୱ ହାସଲ କରିବା ପାଇଁ ସବୁଆଡ଼େ ଅଣ୍ଟା ଭିଡ଼ିଥିବା ଦେଖାଯାଉଛି। ଏମାନେ ପ୍ରତ୍ୟକ୍ଷ ରାଜନୀତିର ଆଗଧାଡ଼ିରେ ଅଛନ୍ତି। ଦୁର୍ନୀତି, ଅନ୍ୟାୟ, ଅନୀତିକୁ ତଳସ୍ତରରୁ ସମର୍ଥନ କରି ସରକାର ଓ ଦଳୀୟ ପ୍ରତିନିଧିଙ୍କ ମର୍ଯ୍ୟାଦାକୁ ସୁରକ୍ଷିତ କରି ଆସିଛନ୍ତି। ସେମାନଙ୍କ ଆଶାକୁ ଯଦି ଦଳ ପୂରଣ ନ କରେ, ତେବେ ଏମାନେ ଦଳୀୟ ବିପ୍ଳବର ସୂତ୍ରଧର ହେବେ ବୋଲି ମନେହୁଏ, ଯାହା ଆଗରୁ କେବେ ଦେଖାନଥିଲା। ଏହାର କାରଣ ହେଉଛି ଏହି ୫ ବର୍ଷ ମଧ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ୟାଇଛି। ଅନୀତି, ଭ୍ରଷ୍ଟାଚାର ସବୁ ନୀତିରେ ପରିଣତ ହୋଇଯାଇଛି। ସାମାଜିକ ନ୍ୟାୟ ଆଉ ମିଳୁ ନାହିଁ। କାରଣ ଶାସକ ଓ ଅମଲାତନ୍ତ୍ର ଏକାକାର ହୋଇଯାଇଛନ୍ତି। ଦଳୀୟ କର୍ମୀ ତଥା ଜନପ୍ରତିନିଧିମାନେ ଠିକା କାମରେ ପ୍ରଚୁର ଅର୍ଥ ଲାଭ ଉଠାଇ ସମାଜରେ ଐଶ୍ଚର୍ଯ୍ୟଶାଳୀ ହେବା ସହିତ ଖୁବ୍ ପ୍ରତିପତ୍ତିଶାଳୀ ହୋଇଛନ୍ତି। ଏଭଳି ଲୋଭକୁ କ’ଣ କେହି ସମ୍ବରଣ କରିପାରିବେ? ପ୍ରତି ଗ୍ରାମାଞ୍ଚଳରେ ଯିଏ ଗତ ୫ ବର୍ଷ ତଳେ ସାଇକେଲ ଚଢ଼ୁଥିଲା, ସେ ଆଜି ୪/୫ଟା ଦାମିକା ଗାଡ଼ିର ମାଲିକ ହୋଇ ପାରିଛି। ତେଣୁ ପ୍ରାର୍ଥିତ୍ୱ ପାଇଁ ଆଶାୟୀ ସଂଖ୍ୟା ୧୦ ଗୁଣା ବଢ଼ିଯିବା ଏକ ସ୍ବାଭାବିକ ଘଟଣା।
ଏଠାରେ ପ୍ରଶ୍ନ ଉଠୁଛି ଦଳୀୟ ନେତୃବୃନ୍ଦ କେଉଁ ମାପକାଠିରେ ପ୍ରାର୍ଥୀ ଚୟନ କରିବେ? ଯେଉଁ ଦଳ ଶାସନ କରିବାର ଆଶା ଅଧିକ ସେହି ଦଳକୁ ସମସ୍ତେ ଲାଳାୟିତ ହେବା ସ୍ବାଭାବିକ। ତେବେ ସେମାନେ କାହାକୁ ଚୟନ କରିବେ, ତାହା ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ ହିଁ ହେବ। ଦେଖାଯାଏ, କୌଣସି ରାଜନୈତିକ ଦଳ ଗଣତାନ୍ତ୍ରିକ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ନୁହନ୍ତି। ଦଳଗୁଡ଼ିକ ଜନମଙ୍ଗଳ ରାଷ୍ଟ୍ରଠାରୁ ବହୁ ଦୂରରେ। ସେମାନେ ଯେଉଁ ପ୍ରାର୍ଥୀ ଚୟନ କରିବେ, ତାହା ନିଜକୁ, ନିଜ ଦଳକୁ ସୁହାଇଲା ଭଳି ଦୃଷ୍ଟି ଦେବେ। ସବୁ ଦଳ ମଧ୍ୟରେ ଶାସନଗାଦିର ମୋହ ରହିଛି। ଯେନତେନ ପ୍ରକାରେଣ ଗାଦି ଦଖଲ କରିବା ପାଇଁ ଏମାନେ ସବୁ ଅଗଣତାନ୍ତ୍ରିକ ନୀତି ଆପଣେଇ ପାରନ୍ତି। ଦଳୀୟ ନେତୃବୃନ୍ଦଙ୍କ ଏଭଳି ମାନସିକତା ଦେଶରେ ହିଂସା, ହତ୍ୟା, ନୃଶଂସତା, ବୁଥ୍ ଜବରଦଖଲ ଭଳି ଅରାଜକତା ସୃଷ୍ଟି କରିବାକୁ ପଛାନ୍ତି ନାହିଁ। ଏହିଭଳି ଏକ ପରମ୍ପରା ବହୁ ଦିନରୁ ଭାରତୀୟ ରାଜନୀତିରେ ସୃଷ୍ଟି ହୋଇଥିବା ଦେଖାଯାଉଛି। ଏହାର ପୂର୍ଣ୍ଣଚ୍ଛେଦ କ’ଣ ପଡ଼ିପାରିବ? ଏହାର ପୂର୍ଣ୍ଣଚ୍ଛେଦ ପଡ଼ି ନ ପାରିଲେ ମଧ୍ୟ ଚଳିତ ନିର୍ବାଚନ ସବୁ ଦଳ ପାଇଁ ସତର୍କତାର ଘଣ୍ଟି ବଜାଇପାରେ। ସ୍ବାଧୀନ ଗଣତାନ୍ତ୍ରିକ ଭାରତୀୟମାନଙ୍କ ସ୍ବପ୍ନ ସେହି ରାମରାଜ୍ୟ, ଶାନ୍ତି, ସଂହତି, ସାମାଜିକ ନ୍ୟାୟ, ଭାରତୀୟ ସଂସ୍କୃତିର ଅଭ୍ୟୁତ୍ଥାନ ଆଜି ଅଧୁରା ହୋଇ ପଡ଼ିରହିଛି। ସରକାର ପରେ ସରକାର ଗଠନ ହୋଇ ଚାଲିଛି। ଦଳୀୟ ନେତୃବୃନ୍ଦ ଇସ୍ତାହାର ପରେ ଇସ୍ତାହାର ପ୍ରକାଶ କରି ଚାଲିଛନ୍ତି, କିନ୍ତୁ ଭାରତୀୟମାନଙ୍କ ସ୍ବପ୍ନକୁ ସାକାର କରିବାର କେବେ ଗ୍ୟାରେଣ୍ଟି ଦେଇ ପାରୁନାହାନ୍ତି। ପ୍ରତି ନିର୍ବାଚନରେ ଦଳବଦଳ କରୁଥିବା ନେତା ବା କର୍ମୀମାନଙ୍କ ଆଭିମୁଖ୍ୟ କ’ଣ ବୋଲି ପଚାରିଲେ ତାହାର ଉତ୍ତର ମିଳେନା। କାରଣ ଦେଶ ବା ରାଜ୍ୟର ରାଜକୋଷ ପ୍ରତି ଥିବା ମୋହ ବା ଆକର୍ଷଣ ଏମାନଙ୍କୁ ପାଗଳ କରିଥିବାରୁ କ୍ଷମତା ହାସଲ ପାଇଁ ଦଳବଦଳ କରୁଛନ୍ତି। ଏହା ଜାଣିଶୁଣି ଭୋଟରମାନଙ୍କ ମଧ୍ୟରେ କୌଣସି ଚେତନା ଜାଗ୍ରତ ହୋଇପାରେନା। କାରଣ ଭୋଟରମାନେ ରାଷ୍ଟ୍ର ଭକ୍ତ ନୁହନ୍ତି, କେବଳ ଦଳର ଭକ୍ତ ବୋଲି ନିର୍ବାଚନ ସମୟରେ ନିଜକୁ ପ୍ରମାଣିତ କରନ୍ତି। ସେହିଭଳି ପ୍ରାର୍ଥୀମାନେ ନିଜକୁ ଦେଶଭକ୍ତ ବୋଲି ମନେକରନ୍ତି ନାହିଁ। ସେମାନେ ବରଂ ଦଳର ନେତାଙ୍କ ଭକ୍ତ, ଏବଂ ରାଜକୋଷ ଏମାନଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ଜାଣନ୍ତି। ତେବେ ବିଚାର କରନ୍ତୁ ଆମେ କ’ଣ ସତରେ ଗଣତନ୍ତ୍ରପ୍ରେମୀ?
ଭାରତର ଏକ ସଂସ୍ଥା (ଆସୋସିଏଶନ ଫର ଡେମୋକ୍ରାଟିକ୍ ରିଫର୍ମସ୍)ର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ୩୬% ପ୍ରାର୍ଥୀଙ୍କ ବିରୋଧରେ ଫୌଜଦାରି ମାମଲା ରହିଛି। ଦଳୀୟ ନେତୃବୃନ୍ଦ ମନମୁଖି ପ୍ରାର୍ଥୀ ଚୟନ କରି ଭୋଟରମାନଙ୍କ ଉପରେ ଲଦି ଦେଉଛନ୍ତି। ଦଳୀୟ ଚିହ୍ନକୁ ପାଥେୟ କରି ନିର୍ବାଚନରେ ଭୋଟରମାନେ କାହାକୁ ଭୋଟ ଦେଲେ, କାହିଁକି ଦେଲେ ତାହା କହିପାରନ୍ତି ନାହିଁ। ସେମାନେ ଦେଇଥିବା ଭୋଟ କେତେବେଳେ ଦେଶଦ୍ରୋହୀ, ଅପରାଧୀ, ଦେଶ ଲୁଣ୍ଠନକାରୀ ଆଡ଼କୁ ଚାଲି ଯାଇଥିବା ସେମାନେ ଜାଣନ୍ତି ନାହିଁ। ତେଣୁ ଦେଖାଯାଉଛି ଯେ, ଗଣତନ୍ତ୍ରକୁ ସୁଦୃଢ଼ କରିବା ଓ ରାଷ୍ଟ୍ରମଙ୍ଗଳ ରାଷ୍ଟ୍ର ଗଠନ ପାଇଁ ରାଜନୈତିକ ଦଳଗୁଡ଼ିକର ଭୂମିକା ରାଷ୍ଟ୍ରମଙ୍ଗଳ ଅଭିମୁଖୀ ହୋଇ ପାରୁ ନାହିଁ। ଏଥିପାଇଁ ଆମ ସମ୍ବିଧାନ, ନିର୍ବାଚନ କମିଶନର ନୀରବ। ଉତ୍ତମ ପ୍ରାର୍ଥୀ ଚୟନ କରିବା ଦାୟିତ୍ୱ ଗୋଟିଏ ଅଗଣତାନ୍ତ୍ରିକ ସଂସ୍ଥା (ଦଳ) ଉପରେ ନ୍ୟସ୍ତ କରାଯାଇଥିବାର ସେହି ସଂସ୍ଥା ନିଜର ଇଚ୍ଛା ଅନୁସାରେ ପ୍ରାର୍ଥୀ ଚୟନ କରି ଚାଲିଛନ୍ତି। ତା’ର ପରିଣତି ସମସ୍ତେ ଭୋଗୁୁଛନ୍ତି। ୭୫ ବର୍ଷ ହେଲା ନିର୍ବାଚନୀ ପ୍ରକ୍ରିୟାର ସଂସ୍କାର ହୋଇ ପାରିଲା ନାହିଁ। ଯାହାଫଳରେ ଚଳିତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର କର୍ମୀମାନଙ୍କ ମଧ୍ୟରେ ରହିଥିବା ଲାଭ ଲୋଭର ମୋହ ଏକ ବିପ୍ଳବର ସୂତ୍ରପାତ ଘଟାଇବ ବୋଲି ଜଣାପଡ଼ୁଚି। ଅବଦମିତ ହୋଇ ରହିଥିବା ରାଜନୈତିକ କର୍ମୀ, ଜନ ନେତାଙ୍କ ଅସନ୍ତୋଷ ଚଳିତ ନିର୍ବାଚନରେ ପ୍ରତିଫଳିତ ହୋଇ ଏକ ପରିବର୍ତ୍ତନ ଘଟାଇବାର ଆଶା କରାଯାଏ।