Categories: ଖେଳ

ଟି୨୦ ମ୍ୟାଚ୍‌ରେ ୬୪ ରନ୍‌ ଦେଇ ସାରିଥିଲି, ତା’ ପରେ ମାହି ଭାଇ ମୋତେ କହିଥିଲେ …

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଭାବକୁ କେହି ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଦଳରେ ଧୋନୀଙ୍କ ଉପସ୍ଥିତି ପାଇଁ ଦୁହେଁ ଅନେକ ସଫଳତା ହାସଲ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଚହଲ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ କଥା ମନେ ପକାଇଛନ୍ତି। ପ୍ରୋଟିଜ ଦଳ ବିପକ୍ଷରେ କଠିନ ସମୟରେ ଭେଟେରାନ ଉଇକେଟକିପର ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ।

“୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟି୨୦ ମ୍ୟାଚ୍‌ରେ ମୁଁ ୬୪ ରନ୍‌ ଖର୍ଚ୍ଚ କରି ସାରିଥିଲି। ହେନରିଚ୍‌ କ୍ଲାସେନ ଗ୍ରାଉଣ୍ଡର ଚାରି ଆଡ଼େ ଶଟ୍‌ ଖେଳିଥିଲେ। ତା’ ପରେ ମାହି (ଧୋନୀ) ଭାଇ ମୋତେ ପରାମର୍ଶ ଦେଇଥିଲେ, ରାଉଣ୍ଡ ଦି ଉଇକେଟରୁ ବୋଲିଂ କର। ମୁଁ ତାହା ହିଁ କରିଥିଲି। କିନ୍ତୁ ପ୍ରଥମ ବଲରେ କ୍ଲାସେନ ମିଡ୍‌ ଉଇକେଟ ଅଞ୍ଚଳରେ ଏକ ବଡ଼ ଛକା ଲଗାଇଥିଲେ। ତା’ ପରେ ପୁଣି ଥରେ ମୋ ପାଖକୁ ଆସିଥିଲେ ଧୋନୀ ଭାଇ। ମୁଁ ପଚାରିଥିଲି ‘ଏବେ କ’ଣ କରିବା ଉଚିତ ହେବ’? ସେ କହିଥିଲେ, କିଛି ନାହିଁ। ମୁଁ ଏମିତି ଚାଲି ଆସିଛି। ମୋତେ ଜଣାଅଛି, ଏହା ତୁମ ଦିନ ନୁହେଁ। ତୁମେ ସବୁ କିଛି ଉଦ୍ୟମ କରୁଛ ହେଲେ କାମ ଦେଉ ନାହିଁ। ବେଶୀ କିଛି ଚିନ୍ତା କର ନାହିଁ। ତୁମ ୪ ଓଭର ସ୍ପେଲ ଶେଷ କର” ବୋଲି ଚହଲ କହିଛନ୍ତି।

“ସେହି ସମୟରେ ଯଦି କେହି ଚିଲାଇଥାନ୍ତେ, ତେବେ ଆତ୍ମବିଶ୍ୱାସ ହ୍ରାସ ପାଇଥାନ୍ତା। କିନ୍ତୁ ସେ ମୋତେ କହିଥିଲେ, ଗୋଟିଏ ମ୍ୟାଚ୍‌ ଖରାପ ହୋଇଗଲେ କ’ଣ ହେଲା। ସେହି ମ୍ୟାଚ୍‌ରେ ମୁଁ ବୁଝିପାରିଥିଲି ବେଳେବେଳେ କ୍ରିକେଟରେ ତୁମେ ଭଲ କର, ବେଳେବେଳେ ସଫଳତା ମିଳେ ନାହିଁ” ବୋଲି ୩୧ ବର୍ଷୀୟ ଲେଗ୍‌ ସ୍ପିନର କହିଛନ୍ତି।

Share