ଡା. ଗୋପାଳ ଚନ୍ଦ୍ର ଦାଶ
ବୈଦିକ ସାହିତ୍ୟରେ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ ଆଦି ୪ ଗୋଟି ଗ୍ରନ୍ଥକୁ ବେଦର ସଂଜ୍ଞା ପ୍ରଦାନ କରାଯାଇଛି। ଯେଉଁ ୩ ଗୋଟି ଦାର୍ଶନିକ ସିଦ୍ଧାନ୍ତ ଉପରେ ବୈଦିକ ସାହିତ୍ୟ ପର୍ଯ୍ୟବସିତ, ତାହା ହେଲା- ଜ୍ଞାନ, କର୍ମ ଓ ଉପାସନା। ଉପନିଷଦ ଗ୍ରନ୍ଥଗୁଡ଼ିକ ଜ୍ଞାନମାର୍ଗ ପନ୍ଥାକୁ ଅନୁସରଣ କରିଥାଏ। ସେଥିପାଇଁ ଉପନିଷଦ ବୈଦିକ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ ଭାରତୀୟ ସଂସ୍କୃତିର ପ୍ରାଣ ସ୍ବରୂପ। ଅଧୁନା ଉପଲବ୍ଧ ୧୦୮ ଗୋଟି ଉପନିଷଦ ମଧ୍ୟରୁ ଯେଉଁଗୁଡ଼ିକ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଭାଷ୍ୟ କରାଯାଇଛି, ତାହାକୁ ପ୍ରଧାନ ଉପନିଷଦ ଭାବରେ ଧରାଯାଇଅଛି। ଯେଉଁ ପ୍ରତିପାଦ୍ୟ ସିଦ୍ଧାନ୍ତ ଉପରେ ଉପନିଷଦର ବିଷୟବସ୍ତୁଗୁଡ଼ିକ ପର୍ଯ୍ୟବସିତ, ସେଗୁଡ଼ିକ ହେଲା- ବ୍ରହ୍ମ ସିଦ୍ଧାନ୍ତ, ସୃଷ୍ଟି ରହସ୍ୟ ସିଦ୍ଧାନ୍ତ, ଜ୍ଞାନ ସିଦ୍ଧାନ୍ତ, କର୍ମ ସିଦ୍ଧାନ୍ତ, ସଦାଚାର ବା ନୈତିକ ସିଦ୍ଧାନ୍ତ, ମାୟାବାଦ ସିଦ୍ଧାନ୍ତ ଓ ସମନ୍ବୟ ସିଦ୍ଧାନ୍ତ।
ବ୍ରହ୍ମ ସିଦ୍ଧାନ୍ତ: ଉପନିଷଦର ମୁଖ୍ୟ ପ୍ରତିପାଦ୍ୟ ବିଷୟ ହେଉଛି ବ୍ରହ୍ମ ସିଦ୍ଧାନ୍ତ। ମାଣ୍ଡୁକ୍ୟ ଉପନିଷଦରେ ବ୍ରହ୍ମକୁ ଉଭୟ ପରମାତ୍ମା ଓ ଆତ୍ମା ଭାବରେ ବର୍ଣ୍ଣନା କରାଯାଇଛି (ଅୟମାତ୍ମା ବ୍ରହ୍ମ)। ଆତ୍ମା ଓ ପରମାତ୍ମା ଉଭୟେ ଚେତନ ସତ୍ତା। ବ୍ରହ୍ମ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଥିବାବେଳେ ଆତ୍ମା ଜୀବର ଶରୀର ମଧ୍ୟରେ ଜୀବାତ୍ମା ଭାବରେ ବିଦ୍ୟମାନ। ତେଣୁ ପରମାତ୍ମା ହେଉଛନ୍ତି ସୂକ୍ଷ୍ମତମ ଆତ୍ମା। ଏହି ସିଦ୍ଧାନ୍ତ ପିଣ୍ଡ-ବ୍ରହ୍ମାଣ୍ଡର ଦାର୍ଶନିକ ତତ୍ତ୍ୱକୁ ବ୍ୟାଖ୍ୟା କରିଥାଏ। ମାଣ୍ଡୁକ୍ୟ ଉପନିଷଦରେ ପରମାତ୍ମା ଓ ଜୀବାତ୍ମା ମଧ୍ୟରେ ଦ୍ୱୈତ ଭାବରେ କଳ୍ପନା କରାଯାଇ ଜୀବାତ୍ମାକୁ ଭୋକ୍ତା ଓ ପରମାତ୍ମାକୁ ସ୍ରଷ୍ଟା ଭାବରେ ବର୍ଣ୍ଣନା କରାଯାଇଛି (ତ୍ୱା ସୁପର୍ଣ୍ଣ ସୂଯୁଜା ସଖାୟ)। ତୈତିରୀୟ ଉପନିଷଦରେ ବ୍ରହ୍ମା ସ୍ବରୂପ ସମ୍ବନ୍ଧରେ ବର୍ଣ୍ଣନା କରି କୁହାଯାଇଛି ଯେ, ତାଙ୍କୁ କାବ୍ୟରେ ପ୍ରକାଶ କରି ହେବ ନାହିଁ କି ମନରେ ଚିନ୍ତା କରି ହେବ ନାହିଁ। ଅର୍ଥାତ୍ ବ୍ରହ୍ମ ହେଉଛନ୍ତି ଅନିର୍ବଚନୀୟ ଓ ଅଚିନ୍ତନୀୟ। ଏହି ଉପନିଷଦରେ ବ୍ରହ୍ମଙ୍କୁ ଆନନ୍ଦମୟ ଭାବରେ ବର୍ଣ୍ଣନା କରାଯାଇଛି। ଅର୍ଥାତ୍ ବ୍ରହ୍ମ ସତ୍, ଚିତ୍ ଓ ଆନନ୍ଦମୟ ହୋଇଥିବାରୁ ତାଙ୍କୁ ସଚ୍ଚିଦାନନ୍ଦ କୁହାଯାଏ। ମାଣ୍ଡୁକ୍ୟ ଉପନିଷଦରେ ବ୍ରହ୍ମ ଚେତନର ୪ଗୋଟି ଅବସ୍ଥା (ଜାଗୃତି, ସ୍ବପ୍ନ, ସୁଷୁପ୍ତି ଓ ତୁରୀୟ) ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଏହି ଉପନିଷଦରେ ଓଁକାରକୁ ବ୍ରହ୍ମାଙ୍କର ନିଜ ନାମ ଓ ଅନ୍ୟ ସକଳ ନାମ ଏହାର ବିଶେଷଣ ମାତ୍ର ବୋଲି ବର୍ଣ୍ଣନା କରାଯାଇଛି। ତେଣୁ ଓଁକାର ନାମୀ ଅବିନାଶ ବ୍ରହ୍ମ ହେଉଛନ୍ତି ନିତ୍ୟ, ଶାଶ୍ୱତ, ଅପରିବର୍ତ୍ତନଶୀଳ, ଅଦ୍ୱିତୀୟ, ଶିବ (କଲ୍ୟାଣକାରୀ), ନିର୍ଗୁଣ, ପ୍ରଫଚୋପଶମ (ଇନ୍ଦ୍ରିୟ ରହିତ) ତଥା ଅମାତ୍ର। ବ୍ରହ୍ମ ହେଉଛନ୍ତି ସତ୍ୟ, ଶିବ ଓ ସୁନ୍ଦର।
ଉପନିଷଦଗୁଡ଼ିକରେ ବ୍ରହ୍ମାଙ୍କ ସ୍ବରୂପକୁ ନେତିବାଚକ ଶବ୍ଦରେ ବ୍ୟବହାର କରାଯାଇଛି। ଏହାର ଅର୍ଥ ବ୍ରହ୍ମାକୁ ସତ୍ ବୋଲି କୁହାଯାଇ ପାରିବ ନାହିଁ ତ ଅସତ୍ ବୋଲି କୁହାଯିବ ନାହିଁ। ସେ ନିରାକାର ହେଲେ ମଧ୍ୟ ସାକାର ଭାବରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ବିଦ୍ୟମାନ। ବୃହଦାରଣ୍ୟକ ଉପନିଷଦରେ ଯାଜ୍ଞବଳ୍କ-ମୈତ୍ରେୟୀ ଉପାଖ୍ୟାନରେ କୁହାଯାଇଛି ଯେ ଆତ୍ମା (ବ୍ରହ୍ମ) ଦ୍ରଷ୍ଟବ୍ୟ, ଶ୍ରେତବ୍ୟ, ମନ୍ତବ୍ୟ ଓ ନିଷିଧ୍ୟାସିତବ ଅର୍ଥାତ୍ ଆତ୍ମା ହିଁ ଦର୍ଶନ କରିବା, ଶ୍ରବଣ କରିବା, ମନନ କରିବା ଓ ଅନୁଭବ କରିବାଯୋଗ୍ୟ।
ସୃଷ୍ଟି ରହସ୍ୟ ସିଦ୍ଧାନ୍ତ: ଉପନିଷଦରେ ବ୍ରହ୍ମକୁ ସୃଷ୍ଟିର ନିମିତ୍ତ କାରଣ ଓ ପ୍ରକୃତିକୁ ଉପାଦାନ କାରଣ ଭାବରେ ବର୍ଣ୍ଣନା କରାଯାଇଛି। ମାଣ୍ଡୁକ୍ୟ ଉପନିଷଦରେ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ପ୍ରକ୍ରିୟାକୁ କେତୋଟି ଲୌକିକ ଉଦାହରଣ ମାଧ୍ୟମରେ ବୁଝାଇ ଦିଆଯାଇଛି। ବୁଢ଼ିଆଣୀ ଯେପରି ନିଜ ପେଟ ଭିତରୁ ସୂତା ବାହାର କରି ଜାଲ ନିର୍ମାଣ କରେ ଓ ସେହି ଜାଲରେ ଭ୍ରମଣ କରେ, ମାଟି ଉପରେ ଯେପରି ବନସ୍ପତିଗୁଡ଼ିକ ଜନ୍ମ ନିଅନ୍ତି ଓ ଜୀବନ୍ତ ମନୁଷ୍ୟର ଶରୀରରେ ଯେପରି କେଶ ଉଠିଥାଏ, ଠିକ୍ ସେହିପରି ଅବିନାଶୀ ବ୍ରହ୍ମଙ୍କଠାରୁ ସାରା ବିଶ୍ୱ ଜନ୍ମ ନେଇଥାଏ। ଛାନ୍ଦୋଗ୍ୟ ଉପନିଷଦରେ ସମଗ୍ର ଜଗତ ବ୍ରହ୍ମଙ୍କଠାରୁ ଉତ୍ପନ୍ନ, ତାଙ୍କ ଦ୍ୱାରା ସଂଚାଳିତ ଓ ଅନ୍ତିମରେ ତାଙ୍କଠାରେ ବିଲୀନ ହୁଏ ବୋଲି ବର୍ଣ୍ଣନା କରାଯାଇଛି। ସମ୍ପୂର୍ଣ୍ଣ ଜଗତ ବ୍ରହ୍ମମୟ ବୋଲି କୁହାଯାଇଛି। ଏହି ଉପନିଷଦରେ ବ୍ରହ୍ମଙ୍କୁ ‘ତତ୍ତ୍ୱଜ୍ଞାନ’ କୁହାଯାଇଛି। ସମଗ୍ର ଜଗତକୁ ସୃଷ୍ଟି କରିସାରିବା ପରେ ମଧ୍ୟ ବ୍ରହ୍ମଙ୍କର ପୂର୍ଣ୍ଣତା ହ୍ରାସ ହୁଏନାହିଁ। ତେଣୁ ସମସ୍ତ ଉପନିଷଦର ଅବିନାଶୀ ବ୍ରହ୍ମକୁ ପୂର୍ଣ୍ଣ ଭାବରେ କଳ୍ପନା କରାଯାଇଛି। ଶ୍ୱେତଶ୍ୱତ ଉପନିଷଦରେ ବ୍ରହ୍ମଙ୍କୁ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ପୋଷଣକର୍ତ୍ତା ଓ ସଂହାରକର୍ତ୍ତା ଭାବେ ଦର୍ଶାଯାଇଛି।
ଜ୍ଞାନ ସିଦ୍ଧାନ୍ତ: ବୈଦିକ ଜ୍ଞାନ ଦୁଇ ପ୍ରକାର- ପରାବିଦ୍ୟା ଓ ଅପରାବିଦ୍ୟା। ମାଣ୍ଡୁକ୍ୟ ଉପନିଷଦରେ ବେଦ ଓ ବେଦାଙ୍କ ଜ୍ଞାନକୁ ଅପରାବିଦ୍ୟା ଭାବରେ ଦର୍ଶାଯାଇଛି। ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ପରାବିଦ୍ୟା, ଯାହା ସମସ୍ତ ଉପନିଷଦ ଓ ଦର୍ଶନ ଶାସ୍ତ୍ରଗୁଡ଼ିକରେ ଉପଲବ୍ଧ। ପରାବିଦ୍ୟା ହେଉଛି ଶ୍ରେଷ୍ଠଜ୍ଞାନ, ଯାହା ଅବ୍ୟକ୍ତ ଓ ଅଗୋଚର ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଥାଏ। ମାନବ ଜୀବନର ପରମଲକ୍ଷ୍ୟ ନିଶ୍ରେସୟ ଅର୍ଥାତ୍ ମୋକ୍ଷ ପ୍ରାପ୍ତି। ଏହାକୁ ଲାଭ କରିବାକୁ ହେଲେ ସର୍ବୋଚ୍ଚ ଜ୍ଞାନ ହେଉଛି ବ୍ରହ୍ମଜ୍ଞାନ, ଯାହା ଉପନିଷଦଗୁଡ଼ିକରେ ବର୍ଣ୍ଣନା କରାଯାଇଛି।
କର୍ମସିଦ୍ଧାନ୍ତ: ଉପନିଷଦରେ କୁହାଯାଇଛି ଯେ ମୃତ୍ୟୁ ପରେ ମନୁଷ୍ୟ ଶରୀର ପଞ୍ଚଭୂତ (କ୍ଷିତି, ଅପ୍, ତେଜଃ, ମରୁତ୍, ବ୍ୟୋମ)ରେ ଲୀନ ହୋଇଯାଏ। କେବଳ ତା’ର କର୍ମ ରହିଯାଇଥାଏ। ସେହି କର୍ମଫଳ ଅନୁସାରେ ମନୁଷ୍ୟ ବିଭିନ୍ନ ଯୋନି ପ୍ରାପ୍ତ ହୋଇଥାଏ। ଉପନିଷଦରେ ମନୁଷ୍ୟକୁ ନିଷ୍କାମ କର୍ମ ପାଇଁ ଉପଦେଶ ଦିଆଯାଇଛି ଓ ନିଷ୍କାମ କର୍ମକୁ ଯଜ୍ଞର ମାନ୍ୟତା ପ୍ରଦାନ କରାଯାଇଛି।
ସଦାଚାର ବା ନୈତିକ ସିଦ୍ଧାନ୍ତ: ସମସ୍ତ ଉପନିଷଦ ସଦାଚାର ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ମନୁଷ୍ୟକୁ ସଦାଚାରୀ ଓ ନୈତିକ ଜୀବନଯାପନ ପାଇଁ ଉପଦେଶ ଦିଆଯାଇଛି। ତୈତିରୀୟ ଉପନିଷଦର ଶିକ୍ଷାବଲ୍ଲୀରେ ବ୍ରହ୍ମଚାରୀକୁ ଶିକ୍ଷା ସମାପ୍ତି ପରେ ସଦାଚାର ଆଚରଣ ପ୍ରଦର୍ଶନ ପାଇଁ ଉପଦେଶ ଦିଆଯାଇ କୁହାଯାଇଛି ଯେ, ସତ୍ୟ କୁହ, ଧର୍ମ ଆଚରଣ କର, ସ୍ବାଧ୍ୟାୟରେ ଅବହେଳା କରନାହିଁ, ବଂଶ ପରମ୍ପରା ରକ୍ଷାକର, ପିତାମାତା, ଗୁରୁ ଓ ଅତିଥିଙ୍କୁ ଦେବତା ଭଳି ସମ୍ମାନ ପ୍ରଦାନ କର। ସମାଜ ଓ ପରିବାରର ଅନିଷ୍ଟ ସାଧନ କରନାହିଁ। ଦାନ ପରି ମହତ୍ କର୍ମ କଦାପି ତ୍ୟାଗ କରନାହିଁ। ସର୍ବଦା ଅନିନ୍ଦନୀୟ କର୍ମ ସମ୍ପାଦନ କର। ଖାଦ୍ୟ ପଦାର୍ଥକୁ ନିନ୍ଦା ଓ ନଷ୍ଟ କରନାହିଁ।
ସମନ୍ବୟ ସିଦ୍ଧାନ୍ତ: ନୈତିକ ସାହିତ୍ୟ ଯେଉଁ ଦୁଇଗୋଟି ମୁଖ୍ୟ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ତାହା ହେଉଛି- ଜ୍ଞାନମାର୍ଗ ଓ କର୍ମମାର୍ଗ। ବାହ୍ୟ ଦୃଷ୍ଟିରୁ ଏହି ଦୁଇ ମାର୍ଗ ଭିନ୍ନ ଜଣାପଡୁଥିଲେ ମଧ୍ୟ ଉଭୟ ଚିନ୍ତାଧାରା ଏକ । ବ୍ୟାସଦେବଙ୍କ ଅନୁଶିଷ୍ୟ ଯାଜ୍ଞବଳ୍କ ଜ୍ଞାନ ଓ କର୍ମ ମାର୍ଗ ମଧ୍ୟରେ ଏକ ସମନ୍ବୟ ଭାବନା ସୃଷ୍ଟି କରି ଇଶୋପନିଷଦ ଗ୍ରନ୍ଥ ରଚନା କରିଛନ୍ତି। ବାସ୍ତବତାକୁ ଉପଲବ୍ଧତ୍ କରି ଏକ ସଫଳ ଜୀବନଯାପନ ପାଇଁ ସମନ୍ବୟବାଦ ଏକାନ୍ତ ଅପରିହାର୍ଯ୍ୟ। ଏହି ସମନ୍ବୟବାଦୀ ଉପନିଷଦରେ ତ୍ୟାଗ ଓ ଭୋଗ, ଜ୍ଞାନ ଓ କର୍ମ, ବିଦ୍ୟା ଓ ଅବିଦ୍ୟା। ବସ୍ତୁବାଦ ଓ ଅଧ୍ୟାତ୍ମବାଦ, ଏକ ଈଶ୍ୱରବାଦ ଓ ବହୁ ଈଶ୍ୱରବାଦ ମଧ୍ୟରେ ସମାନତା ଆଣି ସାତ୍ତ୍ୱିକ ଜୀବନଯାପନ ପାଇଁ ଉପଦେଶ ଦିଆଯାଇଛି।
ମାୟାବାଦ ସିଦ୍ଧାନ୍ତ: ଉପନିଷଦରେ ମାୟାକୁ ବ୍ରହ୍ମାଙ୍କର ଏକ ଅଲୌକିକ ଶକ୍ତିଭାବରେ ବର୍ଣ୍ଣନା କରାଯାଇଛି। ଉପନିଷଦରେ ଅନେକ ସ୍ଥାନରେ ମାୟାକୁ ଗୁଣ (ସତ୍ତ୍ୱ, ରଜଃ, ତମଃ), ଅଜ୍ଞାନ ଓ ସ୍ବପ୍ନ ଭାବରେ ମଧ୍ୟ ଦର୍ଶାଯାଇଛି। ଏହି ମାୟାତତ୍ତ୍ୱକୁ କେବଳ ଜ୍ଞାନୀ ପୁରୁଷମାନେ ଜାଣିପାରନ୍ତି। ମନୁଷ୍ୟ ଶୋକ-ମୋହରୁ ନିବୃତ୍ତ ହୋଇ ଶାଶ୍ୱତ ଚେତନାର ଅଧିକାରୀ ହେବା ପାଇଁ ଉପନିଷଦର ସିଦ୍ଧାନ୍ତଗୁଡ଼ିକୁ ହୃଦୟଙ୍ଗମ କରିବା ଏକାନ୍ତ ଆବଶ୍ୟକ।
ମୋ: ୭୮୪୮୮୫୦୯୫୦