ଭିମ୍‌ସାରରେ ୧୧୫ ସ୍ଥାୟୀ ଡାକ୍ତର ପଦ ଖାଲି

ସମ୍ବଲପୁର,୨୦।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ଭିମ୍‌ସାରରେ ୨ବର୍ଷ ହେବ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯାଉ ନାହିଁ। ଖାଲିପଡିଥିବା ଶହେରୁ ଊର୍ଦ୍ଧ୍ୱ ପଦ ପୂରଣ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବା ବଦଳରେ ସରକାରଙ୍କ ପାଖକୁ ନିଯୁକ୍ତି ବାବଦରେ ଥିବା କେତେକ ସମସ୍ୟା ଉପରେ ସ୍ପଷ୍ଟୀକରଣ ମାଗିଥିବା କହୁଛନ୍ତି। ଭିମ୍‌ସାର ସ୍ବୟଂଶାସିତ। ଏହାର ସ୍ବତନ୍ତ୍ର ଆଇନ ଓ କ୍ଷମତା ରହିଛି। ନିଯୁକ୍ତିଠାରୁ ଆରମ୍ଭ କରି ସାମଗ୍ରୀ କିଣା ପର୍ଯ୍ୟନ୍ତ ସମସ୍ତ କାମ ନିଜେ କରିପାରିବେ। ସ୍ବାଧୀନ ଥାଇ ବି କର୍ତ୍ତୃପକ୍ଷ ପରାଧୀନ ଭଳି କାମ କରୁଛନ୍ତି। ନିଯୁକ୍ତି ପାଇଁ ସରକାରଙ୍କ ପାଖରୁ କୌଣସି ସ୍ପଷ୍ଟୀକରଣର ଆବଶ୍ୟକତା ପଡେନାହିଁ। ପୂର୍ବରୁ ଏଭଳି ନିଯୁକ୍ତି ହୋଇଥିବା ରେକର୍ଡ ମଧ୍ୟ ରହିଛି। ଯଦି ନିଯୁକ୍ତି ପ୍ରକ୍ରିୟା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ ରହିଛି ତା’ହେଲେ ସରକାରଙ୍କୁ ଦାବି କରି ଅସ୍ଥାୟୀ ଭାବେ ନିଯୁକ୍ତି ଦେଇପାରିବେ।
ମିଳିଥିବା ରିପୋର୍ଟ ଅନୁସାରେ ଭିମ୍‌ସାରରେ ୨୦୨୧ ଜୁନ ସୁଦ୍ଧା ୧୧୫ ଡାକ୍ତର ପଦ ଖାଲି ରହିଥିଲା। ଏଥିମଧ୍ୟରେ ୩୫ ପ୍ରଫେସର ପଦ ରହିଥିବାବେଳେ ୧୫ ଜଣ ନିଯୁକ୍ତ ଅଛନ୍ତି। ସେହିପରି ୭୧ ଆସୋସିଏଟ ପ୍ରଫେସର ପଦ ଥିବାବେଳେ ୪୫ଜଣ କାର୍ଯ୍ୟରତ ଅଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର ପଦ ୧୪୩ ମଧ୍ୟରୁ ୭୪ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏବେ ଓପିିଏସ୍‌ସି ପକ୍ଷରୁ ରାଜ୍ୟର ଅନ୍ୟ ମେଡିକାଲ କଲେଜରେ ୩୮୦ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହା ଜାଣିବା ପରେ ସାଧାରଣରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ଭିମ୍‌ସାରରେ କଣ୍ଟ୍ରାକ୍‌ଚୁଆଲ ଡାକ୍ତରମାନେ ପରୀକ୍ଷା ଦେଇ ଅନ୍ୟ ମେଡିକାଲକୁ ଚାଲିଯିବା ସମ୍ଭାବନା ଦେଖାଦେଇଛି। ତେଣୁ ଭିମ୍‌ସାର କର୍ତ୍ତୃପକ୍ଷ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି, ଭିମ୍‌ସାରରେ ଡାକ୍ତର ସମସ୍ୟା ହେବ ନାହିଁ। କୌଣସି ଡାକ୍ତରଙ୍କୁ ବଳପୂର୍ବକ କାମ କରାଇହେବ ନାହିଁ। ଓପିଏସ୍‌ସି ପରୀକ୍ଷା ହେବା ଫଳରେ କେତେଜଣ ସ୍ଥାୟୀ ଓ ଅସ୍ଥାୟୀ ଡାକ୍ତର ଅନ୍ୟତ୍ର ଯିବା ଆଶଙ୍କା ରହୁଛି। ହେଲେ ତାହା ସେମାନଙ୍କ ସ୍ବାଧୀନତାର ଅଧିକାର। ସରକାରଙ୍କ ପାଖରୁ ସ୍ପଷ୍ଟୀକରଣ ଆସିବା ମାତ୍ରେ ଶୀଘ୍ର ନିଯୁକ୍ତି ଦିଆଯିବ। ଓପିଏସ୍‌ସି ପରୀକ୍ଷା ହେବା ଫଳରେ ଭିମ୍‌ସାରକୁ ସେଭଳି କୌଣସି ସମସ୍ୟା ହେବ ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଭିମ୍‌ସାର ଉପରେ ସମ୍ବଲପୁର ଜିଲା ସମେତ ପଶ୍ଚିମଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ ରୋଗୀମାନେ ନିର୍ଭର କରନ୍ତି। ଡାକ୍ତର ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଛି। ଯଦି କାର୍ଯ୍ୟରତ ଡାକ୍ତର ଅନ୍ୟତ୍ର ଯିବେ ତା’ହେଲେ ଲକ୍ଷାଧିକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚତ୍ତ ହେବା ସମ୍ଭାବନା ରହିଛି।

Share