ଜିଲାରେ ୧୨୫୧ ଯକ୍ଷ୍ମା ରୋଗୀ

ଖୋର୍ଦ୍ଧା ଅଫିସ,୧୧ା୩: ଖୋର୍ଦ୍ଧା ଜିଲା ଯକ୍ଷ୍ମା ଫୋରମ ଏବଂ ଜିଲା ଯକ୍ଷ୍ମା କୋମରବିଡିଟି କମିଟିର ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକ, ଏଡିଏମ୍‌ଓ(ପରିବାର କଲ୍ୟାଣ) ଡା.ରଘୁନାଥ ନାୟକ, ଡିପିଏଚ୍‌ଓ ଡା.ପ୍ରଶାନ୍ତ କୁମାର ଦାସ, ଏଡିପିଏଚ୍‌ଓ(ଯକ୍ଷ୍ମା) ଜିଲା ଯକ୍ଷ୍ମା ଅଧିକାରୀ ଡା.ସୁବ୍ରତ କୁମାର ତ୍ରିପାଠୀ, ଡା.ସୁମନ ସୁନ୍ଦରାୟ, ବିଜୟଲକ୍ଷ୍ମୀ ରାଉତରାୟ, ପ୍ରଭାସିନୀ ପ୍ରଧାନଙ୍କ ସମେତ ଯକ୍ଷ୍ମା ବିଭାଗରେ କାର୍ଯ୍ୟରତ କର୍ମଚାରୀ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ନିକ୍ଷୟ ପୋଷଣ ଅଭିଯାନକୁ ନିଶ୍ଚିତ କରାଯିବ। ସମସ୍ତ ରୋଗୀଙ୍କ ଏଚ୍‌ଆଇଭି ଓ ସିବିଏନଏଟି ପରୀକ୍ଷା କରାଯିବା ଲାଗି ଜିଲାପାଳ ପରାମର୍ଶ ଦେଇଥିଲେ। ଜଟିଳ ଯକ୍ଷ୍ମା ରୋଗରେ ପୀଡ଼ିତ ରୋଗୀ କିପରି ରୋଗମୁକ୍ତ ହେବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲାପାଳ କହିଥିଲେ। ଜିଲାରେ ୧୨୫୧ଜଣ ରୋଗୀ ରହିଛନ୍ତି। ସେଥିରୁ ଟାଙ୍ଗୀ ବ୍ଲକରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଜିଲାର ୧୦ଟି ବ୍ଲକର ୧୭ଟି ସ୍ଥାନରେ ଏହି ରୋଗ ପରୀକ୍ଷାର ବ୍ୟବସ୍ଥା ରହିଛି। ଯକ୍ଷ୍ମା ରୋଗର ଲକ୍ଷଣ ଥିଲେ, ଲୁଚାନ୍ତୁ ନାହିଁ। ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନିୟମିତ ଚିକିତ୍ସା ଦ୍ୱାରା ରୋକାଯାଇପାରିବ ବୋଲି ସିଡିଏମଓ ନାୟକ କହିଛନ୍ତି।

Share