ଗଞ୍ଜାମ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୧୩,୬୭୫ ପ୍ରାର୍ଥୀ

ଛତ୍ରପୁର,୨୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜିଲାରେ ୫୦୩ ପଞ୍ଚାୟତ ପାଇଁ ସମୁଦାୟ ବିଭିନ୍ନ ପଦବୀ ନିମନ୍ତେ ୧୩ ହଜାର ୬୭୫ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ସେଥି ମଧ୍ୟରୁ ୨୫୬ ଜିଲା ପରିଷଦ ପ୍ରାର୍ଥୀ, ସରପଞ୍ଚ ପାଇଁ ୧୫୬୩ ଜଣ, ସମିତି ସଭ୍ୟ ପାଇଁ ୧୩୪୮ ଜଣ ଏବଂ ଓ୍ବାର୍ଡମେମ୍ବର ପାଇଁ ୧୦,୫୦୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ନିର୍ଦ୍ଧାରଣ କରିବେ। ଜିଲାରେ ପୂର୍ବରୁ ବିଭିନ୍ନ ପଦ ପଦବୀ ନିମନ୍ତେ ୧୫ ହଜାର ୮୬୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ସେଥିମଧ୍ୟରୁ ୨୬୭ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ ବେଳେ ନାକଚ ହୋଇଥିଲା। ୧୯୨୧ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିଲେ। ଶେଷରେ ୧୩ ହଜାର ୬୭୫ ମୈଦାନରେ ରହିଛନ୍ତି। ଗଞ୍ଜାମରେ ଫେବୃୟାରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଗଞ୍ଜାମ ଜିଲାର ୨୨ ବ୍ଲକରେ ୫୦୩ ପଞ୍ଚାୟତରେ ୫୦୩ ସରପଞ୍ଚ ଓ ୫୦୩ ସମିତିସଭ୍ୟ, ୭୦୯୯ ଓ୍ବାର୍ଡମେମ୍ବର, ୬୯ ଜିଲା ପରିଷଦ ଜୋନ୍‌ର ସଦସ୍ୟ ପାଇଁ ନିର୍ବାଚନ ହେବ। ୨୪ ଲକ୍ଷ ୪୩ ହଜାର ୬୧୬ ଜଣ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିରୁ ୧୨ ଲକ୍ଷ ୭୭ ହଜାର ୬୨୭ ପୁରୁଷ, ୧୧ ଲକ୍ଷ ୬୫ ହଜାର ୮୦୯ ମହିଳା ଏବଂ ୧୮୦ ଅନ୍ୟ ଭୋଟର ରହିଛନ୍ତି।

Share