୭ ମେଡିକାଲରେ ୧୮ ଡାକ୍ତର ପଦବୀ ଖାଲି

ଲଙ୍ଗଳେଶ୍ୱର, ୭।୧୧(ଡି.ଏନ.ଏ.) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସହ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ହେଲେ ବାଲିଆପାଳ ବ୍ଲକର ବିଭିନ୍ନ ଚିକିତ୍ସାଳୟରେ ଭିତ୍ତିଭୂମି ଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ କର୍ମଚାରୀ ଅଭାବ ଯୋଗୁ ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ବାଲିଆପାଳ ବ୍ଲକରେ ଜନସଂଖ୍ୟା ୨ଲକ୍ଷ ଟପିଲାଣି। ମୋଟ ୨୮ ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ୨୩୧ଟି ରାଜସ୍ବ ଗ୍ରାମ ରହିଛି। ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ୭ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେଥିମଧ୍ୟରେ ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟ ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ଲଙ୍ଗଳେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବୋଳଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଶ୍ରୀରାମପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘଣ୍ଟୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜାମକୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୭ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସ୍ବାସ୍ଥକେନ୍ଦ୍ରଗୁଡିକରେ ୧୮ ଡାକ୍ତର ପଦବୀ ଖାଲି ପଡିଥିବାରୁ ଲୋକେ ଔଷଧ ବିତରଣ କେନ୍ଦ୍ରରୁ ସୁବିଧା ମଧ୍ୟ ପାଇ ପାରୁନାହାନ୍ତି। ଦୀର୍ଘ ବର୍ଷ ଧରି ଡାକ୍ତର ପଦବୀ ପୂରଣ ହେଉ ନ ଥିବାରୁ ଫାର୍ମାଷିଷ୍ଟ ଏବଂ ନର୍ସମାନେ ରୋଗୀସେବା କରି ଆସୁଛନ୍ତି। ଡାକ୍ତରଖାନାରେ ଡାକ୍ତର ରହୁ ନ ଥିବାରୁ ବାଲେଶ୍ୱରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଦୀର୍ଘବର୍ଷ ଧରି ଫାର୍ମାସିଷ୍ଟ ଏବଂ ନର୍ସମାନେ ରୋଗୀ ସେବା କରିଆସୁଛନ୍ତି। ଏହି ସମସ୍ୟା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ହେଁ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ସମ୍ପର୍କରେ ବାଲେଶ୍ୱର ସିଡିଏମ୍‌ଓ ଡା. ଦୁଲାଲସେନ୍‌ ଜଗଦ୍ଦେବଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, ସମଗ୍ର ରାଜ୍ୟରେ ଡାକ୍ତର ଅଭାବ ରହିଛି। ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭାଗ ସର୍ବଦା ତତ୍ପର ରହିଛି ଏବଂ ଶୀଘ୍ର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।