ମଣିଷଠୁ ୨.୫ ନିୟୁତ ଗୁଣ ଅଧିକ ପିମ୍ପୁଡ଼ି ସଂଖ୍ୟା

ହଂକଂ,୨୨।୯: ଜୀବଜଗତର ପରିଶ୍ରମୀ କୀଟ କହିଲେ ପିମ୍ପୁଡିକୁ ବୁଝାଏ। ଘର, ଗଛ, ମାଟିତଳ ହେଉ ଅବା ଗାତ ପ୍ରତ୍ୟେକ ସ୍ଥାନରେ ଏମାନେ ଦେଖାଯାଆନ୍ତି। ବିଶେଷ କରି ସ୍ଥଳ ଭାଗ ଏମାନଙ୍କ ପାଇଁ ବାସୋପଯୋଗୀ। ପିମ୍ପୁଡ଼ିଙ୍କ ପରିମାଣ ଅନ୍ୟ କୀଟପତଙ୍ଗ ତୁଳନାରେ କାହିଁ କେତେଗୁଣରେ ଅଧିକ। ବିଶ୍ୱରେ ପାଖାପାଖି ୧୨ ନିୟୁତ ଟନ୍‌ ଓଜନର ପିମ୍ପୁଡ଼ି ରହିଥିବା ବିଶେଷଜ୍ଞମାନେ କହିଛନ୍ତି। ସେହିପରି ପିମ୍ପୁଡ଼ିଙ୍କ ସଂଖ୍ୟା ମଣିଷ ସଂଖ୍ୟାର ୨.୫ ନିୟୁତ ଗୁଣ ଅଧିକ। ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ହଂକଂର ଗବେଷକମାନେ ପିମ୍ପୁଡ଼ିଙ୍କ ଉପରେ ଅଧ୍ୟୟନ କରୁଥିବାବେଳେ ପୃଥିବୀରେ ୨୦,୦୦୦,୦୦୦,୦୦୦,୦୦୦,୦୦୦ ତଥା ୨୦ କ୍ୱାଡ୍ରିଲିୟନ୍‌ ପିମ୍ପୁଡ଼ି ଥିବା କହିଛନ୍ତି। ପିମ୍ପୁଡ଼ିଙ୍କ ଗଣନା ପାଇଁ ଗବେଷକଙ୍କ ଦ୍ୱାରା ମୋଟ ୪୮୯ଟି ଷ୍ଟଡି କରାଯାଇଥିବା କୁହାଯାଇଛି। ପିମ୍ପୁଡ଼ିଙ୍କ ଅବସ୍ଥିତିକୁ ନେଇ ଏକ ରିପୋର୍ଟ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସରେ ପ୍ରକାଶ ପାଇଛି। ପୃଥିବୀର ପ୍ରତ୍ୟେକ ସ୍ଥାନରେ ପିମ୍ପୁଡ଼ିମାନେ ବାଣ୍ଟି ହୋଇ ରହିଛନ୍ତି। ପକ୍ଷୀ, ପଶୁ ଓ ମନୁଷ୍ୟଙ୍କୁ ଏକତ୍ର ଓଜନ କରାଗଲେ ସେମାନଙ୍କ ଓଜନ ୨ ମିଲିୟନ ଅର୍ଥାତ୍‌ ୨୦ ଲକ୍ଷ ଟନ୍‌ ହେବ। ମାଟି ଖୋଳୁଥିବା ପିମ୍ପୁଡ଼ିର ପରିମାଣ ଅନ୍ୟ ପିମ୍ପୁଡ଼ି ପ୍ରଜାତି ତୁଳନାରେ ବହୁଗୁଣା । ଜୈବ ବିବିଧତାରେ ପିମ୍ପୁଡ଼ିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ହଂକଂର ବାୟୋଲୋଜିକାଲ ସାଇନ୍ସ ୟୁନିଭର୍ସିଟି ବିଶେଷଜ୍ଞ ମାର୍କ ଓ୍ବଙ୍ଗ୍‌ କହିଛନ୍ତି।
୧୦୦ ମିଲିୟନ୍‌ ବର୍ଷ ପୂର୍ବରୁ ପିମ୍ପୁଡ଼ିମାନେ ପୃଥିବୀରେ ରହିଆସୁଛନ୍ତି। ବିଶ୍ୱରେ ମୋଟ ୧୨ ହଜାର ପ୍ରଜାତିର ପିମ୍ପୁଡ଼ି ରହିଥିବା ବିଶେଷଜ୍ଞ କହିଛନ୍ତି। ହାରଭାର୍ଡ ଫରେଷ୍ଟ ମୁତାବକ ମାଟିରେ ଜଳବାୟୁ ପରିମାଣରେ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ପିମ୍ପୁଡ଼ିମାନେ ବଡ଼ ମାଧ୍ୟମ। ଏହାଦ୍ୱାରା ମାଟିରେ ଥିବା ପାଣି ଓ ଅମ୍ଳଜାନ ଚେର ଦେଇ ଗଛକୁ ଯାଇଥାଏ। ମାଟିତଳେ ରହୁଥିବା ପିମ୍ପୁଡ଼ିମାନେ ବିଭିନ୍ନ ପ୍ରକାର ଫଳ ବା ମଞ୍ଜିକୁ ନେଇ ମାଟି ତଳେ ରଖିବା ଦ୍ୱାରା ମଞ୍ଜିରୁ ଗଜା ବାହାରିବା ପ୍ରକ୍ରିୟା ସହଜ ହୋଇଥାଏ। ପିମ୍ପୁଡ଼ିମାନେ ବହୁ ପ୍ରକାରର ଖାଦ୍ୟ ଖାଇବା ଫଳରେ ଏହା ଅନ୍ୟ ଜୀବଙ୍କୁ ମଧ୍ୟ ଖାଦ୍ୟ ଯୋଗାଇବାରେ ସହାୟକ ହୋଇଥାଏ।

Share