Categories: ଫୁରସତ

ସୃଷ୍ଟି ହୁଏ ୨୭ ପ୍ରକାର ପ୍ରେମ ଆବେଗ

ନୂଆଦିଲ୍ଲୀ,୨୫ା୯ (ପି.ଟି.): ମାନବ ଶରୀରର ବିଭିନ୍ନ ସ୍ଥାନରେ ୨୭ ପ୍ରକାର ପ୍ରେମର ଅନୁଭୂତି ଓ ଏହାର ଆବେଗତା ଅନୁଭୂତ ହୋଇଥାଏ। ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଆବେଗ ସୃଷ୍ଟି ହେଉଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହି ମ୍ୟାପ୍‌ ପ୍ରସ୍ତୁତି ଲାଗି ଫିନ୍‌ଲାଣ୍ଡର ଆଲ୍‌ଟୋ ୟୁନିଭର୍ସିଟିର ଗବେଷକମାନେ ଶହ ଶହ ଅଂଶଗ୍ରହଣକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଫିଲୋସଫିକାଲ୍‌ ସାଇକୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରେ କୁହାଯାଇଛି, ବିଭିନ୍ନ ପ୍ରକାର ପ୍ରେମ କ୍ରମାଗତ ଭାବେ କ୍ଷୀଣରୁ ବଳିଷ୍ଠ ହୋଇଥାଏ। ପ୍ରେମର ସବୁଠୁ ବଳିଷ୍ଠ ରୂପ ସାରା ଶରୀରରେ ଅନୁଭୂତ ହୋଇଥାଏ। ବିଶେଷକରି ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଯୁବତୀମାନେ ଏଭଳି ମତ ଦେଇଥିଲେ।
ଘନିଷ୍ଠ ସମ୍ପର୍କ ସହ ଜଡ଼ିତ ବିଭିନ୍ନ ପ୍ରକାର ପ୍ରେମ ଶରୀରରେ ସମାନ ଓ ବଳିଷ୍ଠ ଅନୁଭୂତି ଛାଡ଼ିଥାଏ ବୋଲି ଗବେଷକ ପାର୍ଟିଲି ରିନେ କହିଛନ୍ତି। ତାଙ୍କ ମତରେ ଲୋକଙ୍କ ମଧ୍ୟରେ ପ୍ରେମ ସାଧାରଣତଃ ଯୌନ ଏବଂ ଅଣଯୌନ ଦୁଇଭାଗରେ ବିଭକ୍ତ। ପରସ୍ପରକୁ ମୁଖ୍ୟତଃ ଘନିଷ୍ଠ କରୁଥିବା ପ୍ରେମର ଯୌନ କିମ୍ବା ରୋମାଣ୍ଟିକ୍‌ ଦିଗ ରହିଥାଏ। ସବୁ ପ୍ରକାର ପ୍ରେମ ମସ୍ତିଷ୍କରେ ଦୃଢ଼ ଭାବେ ଅନୁଭୂତ ହେଉଥିବାବେଳେ ତାହାର ତୀବ୍ରତା ଶରୀରର ଅବଶିଷ୍ଟ ଅଙ୍ଗର ଭିନ୍ନ ଭିନ୍ନ ସ୍ଥାନରେ ଅନୁଭବ କରାଯାଇଥାଏ। କେତେକ କେବଳ ଛାତିକୁ ଯାଇଥାଏ ତ ଆଉ କେତେକ ସାରା ଶରୀରରେ ଅନୁଭୂତ ହୋଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। ରୋମାଣ୍ଟିକ୍‌ ଲଭ୍‌, ସେକ୍ସୁଆଲ ଲଭ୍‌, ମାଆବାପାଙ୍କୁ ଭଲପାଇବା, ବନ୍ଧୁ, ଅପରିଚିତ ବ୍ୟକ୍ତି, ପ୍ରକୃତି, ଭଗବାନଙ୍କୁ କିମ୍ବା ନିଜକୁ କରୁଥିବା ପ୍ରେମ ଆଦି ୨୭ ପ୍ରକାର ବିଭିନ୍ନ ପ୍ରେମର ଅନୁଭୂତି ସମ୍ପର୍କରେ ଅଂଶଗ୍ରହଣକାରୀଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ସେମାନେ ବିଭିନ୍ନ ପ୍ରକାର ପ୍ରେମକୁ ସେମାନଙ୍କ ଶରୀରରେ କେଉଁଠି ଅନୁଭବ କରୁଛନ୍ତି ଏବଂ ଶାରୀରିକ ଓ ମାନସିକ ଭାବେ ଏହାର ଆବେଗତାକୁ କିପରି ଅନୁଭବ କରନ୍ତି ବୋଲି ଗବେଷକମାନେ ପ୍ରଶ୍ନ କରିଥିଲେ।
ପ୍ରତ୍ୟେକ ପ୍ରକାର ପ୍ରେମକୁ ସେମାନେ ଶାରୀରିକ ଏବଂ ମାନସିକ ଭାବେ କେଉଁ ସ୍ଥାନରେ ଅନୁଭବ କରୁଛନ୍ତି, ତାହାକୁ ଏକ ଛାୟାଚିତ୍ରରେ ରଙ୍ଗ ଦେଇ ଦର୍ଶାଇବାକୁ ଅଧ୍ୟୟନରେ ଭାଗନେଇଥିବା ଲୋକମାନଙ୍କୁ କୁହାଯାଇଥିଲା। ଶେଷରେ ସେମାନଙ୍କ ବିଭିନ୍ନ ପ୍ରେମର ଘନିଷ୍ଠତାକୁ ମୂଲ୍ୟାୟନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ସମସ୍ତ ତଥ୍ୟକୁ ଆଧାର କରି ଗବେଷକମାନେ ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

Share