ଯାଜପୁର ଟାଉନ,୨୯ା୪(ଡି.ଏନ.ଏ.): ମାଟ୍ରିକ ପରୀକ୍ଷାରେ ଯାଜପୁର ଜିଲାର ୧୯୨ଟି କେନ୍ଦ୍ରରେ ମୋଟ୍ ୨୭,୯୨୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହି ପରୀକ୍ଷା ୨୯ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମ ଅନୁସାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୨୬,୬୬୨ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ରାଜ୍ୟ ମୁକ୍ତ ପ୍ରତିଷ୍ଠାନର ୫୧୯ ଓ ୭୮୮ ଜଣ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୧୬୧ଟି କେନ୍ଦ୍ର ହୋଇଥିବା ବେଳେ ୯ଟି କେନ୍ଦ୍ର ରାଜ୍ୟ ମୁକ୍ତ ପ୍ରତିଷ୍ଠାନ ଓ ୨୨ଟି କେନ୍ଦ୍ରରେ ମଧ୍ୟମା ପାରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାକୁ ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ୧୦ଟି ନୋଡାଲ ଅଧୀନରେ ୩୨ ଜଣିଆ ଡେସ୍ପାଚିଂ ଦଳ ନିୟୋଜିତ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ମାଟ୍ରିକ ପରୀକ୍ଷାର୍ଥିଙ୍କ ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ବନ୍ଦୋବସ୍ତ କରାଯିବା ସହ ପର୍ଯ୍ୟାପ୍ତ ଓଆରଏସ୍ ମହଜୁଦ ରଖାଯାଇଛି। ପରୀକ୍ଷାର୍ଥୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ। ପରୀକ୍ଷା କେନ୍ଦ୍ରରେ ସାନିଟାଇଜର୍ ଉପଲବ୍ଧ କରାଯିବ ବୋଲି ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି ସୂଚନା ଦେଇଛନ୍ତି।