ପାରାଦୀପ,୨୦ା୨ (ସ୍ବ.ପ୍ର.): ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ପାରାଦୀପରେ ଚଳିତବର୍ଷ ଚତୁର୍ଥ ପର୍ଯ୍ୟାୟ ତାଲିମ ୧୩ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଛି। ଏହି ବ୍ୟାଚ୍ରେ ଉପକୂଳ ଓଡ଼ିଶାର ୭ ଜିଲାର ୩୩ ଜଣ ପାରମ୍ପରିକ ମତ୍ସ୍ୟଜୀବୀ ଆବାସିକ ତାଲିମ ନେଉଛନ୍ତି। ଏହି ଅବସରରେ ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ରବିବାର ସିଫା(ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ ଅଫ ଫ୍ରେଶୱାଟର ଆକ୍ୱାକଲଚର୍)ର ଦୁଇଜଣ ବୈଜ୍ଞାନିକ ଯୋଗ ଦେଇଥିଲେ। ସେମାନେ ହେଲେ ଡା. ଅମ୍ବିକା ପ୍ରସାଦ ନାୟକ ଓ ଡା. ସତ୍ୟନାରାୟଣ ସେଠୀ। ଏହି ଦୁଇ ବୈଜ୍ଞାନିକ ମତ୍ସ୍ୟଜୀବୀଙ୍କୁ ଭାନାମି ଚିଙ୍ଗୁଡ଼ି, ଗଜା ଚିଙ୍ଗୁଡ଼ି, ଭେକ୍ଟି ମାଛ, ଖଇଙ୍ଗା, ସବା ଖଇଙ୍ଗା, କଙ୍କଡା, ରଙ୍ଗିନ୍ ମାଛ, ମୁକ୍ତା ଚାଷ, ଜୈବପୁଞ୍ଜ ମାଛଚାଷ, ସମନ୍ବିତ ମାଛଚାଷ, ପଞ୍ଜୁରି ଭିତରେ ମାଛଚାଷ, ପ୍ରବାହମାନ ମାଛଚାଷ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ବୈଜ୍ଞାନିକ ନାୟକ କହିଥିଲେ, ସମୁଦ୍ର ଲୁଣି ପାଣିରେ ୩୨ ପ୍ରକାର ଲୁଣ ଅଛି। ସେଥିରେ ନଦୀଜଳ ମିଶିଲେ କ୍ଷାର ଜଳ ହୋଇଥାଏ। ତାହା ପ୍ରାକୃତିକ। ଏହିଭଳି ପାଣିରେ ମାଛଚାଷ କଲେ ସୁଫଳ ମିଳିଥାଏ। କିନ୍ତୁ ଏବେ ଆଧୁନିକ ପ୍ରଣାଳୀରେ ମାଛଚାଷ ପାଇଁ କେତେକ ମଧୁରଜଳ ଥିବା ଜାଗାରେ କୃତ୍ରିମ ଉପାୟରେ କ୍ଷାରଜଳ କରିବା ପାଇଁ ଚେଷ୍ଟା କରାଯାଉଛି। ଯଥା ମଧୁର ପାଣିରେ ଲୁଣ ଓ ଅନ୍ୟ ଆଣ୍ଟିବାୟୋଟିକ୍ସ ବ୍ୟବହାର କରାଯାଉଛି। ଏହା କେବେବି ସମୁଦ୍ର ଲୁଣିପାଣି ସହ ସମାନ ହେବନାହିଁ ବୋଲି ସେ କହିଥିଲେ। ଭିଏତ୍ନାମ କଉ, ମାଗୁର, ସିଙ୍ଗି, ରୂପଚାନ୍ଦି, ଜଳଙ୍ଗ ଆଦି ମାଛଚାଷରେ କମ୍ ସମୟ ମଧ୍ୟରେ ଅଧିକ ଉତ୍ପାଦନ ହୋଇଥାଏ। କିନ୍ତୁ ଏସବୁ ମାଛ ଚାଷବେଳେ ସମାନ ସମୟରେ ଜନ୍ମ ନେଇଥିବା ଯାଆଁଳ ଛାଡିବା ଜରୁରୀ। କାରଣ ମାଛର ବୟସ ବଡ଼ ସାନ ରହିଲେ ବଡ଼ ମାଛ ସାନ ମାଛକୁ ଖାଇ ଦେଇଥାଏ ବୋଲି ବୈଜ୍ଞାନିକ ସେଠୀ କହିଛନ୍ତି।
ତାଲିମ ସମ୍ପର୍କରେ କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀଙ୍କ ସୂଚନା ଅନୁଯାୟୀ, ୭ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାର ମତ୍ସ୍ୟଜୀବୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଏହି ତାଲିମ ଦିଆଯାଉଛି। ଚଳିତ ୨୦୨୨-୨୩ ବର୍ଷରେ ୪ଟି ବ୍ୟାଚ୍ରେ ୧୦୭୬ ମତ୍ସ୍ୟଚାଷୀ ଓ ୧୪୯ ସାଗରମିତ୍ରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୨୯୩ ଜଣ ମହିଳା ଅଛନ୍ତି। ମାର୍ଚ୍ଚରେ ପଞ୍ଚମ ତଥା ଶେଷ ବ୍ୟାଚରେ ୧୯୦ଜଣ ପ୍ରଶିକ୍ଷଣ ନେବେ ବୋଲି ସେଠୀ କହିଛନ୍ତି।