ପାରାଦୀପ,୧୫ା୧(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା କୁଜଙ୍ଗ ବନାଞ୍ଚଳ ପକ୍ଷରୁ ଚାଲିଥିବା ପକ୍ଷୀଗଣନା କାର୍ଯ୍ୟକ୍ରମ ଶୁକ୍ରବାର ଶେଷ ହୋଇଛି। ଏହି ଅବସରରେ କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିବା ୪ ସ୍ଥାନରେ ପକ୍ଷୀଗଣନା ହୋଇଥିଲା। ଚଳିତବର୍ଷ ଏଠାକୁ ସମୁଦାୟ ୩୯,୧୨୩ ବିଦେଶାଗତ ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ଏହା ଅଳ୍ପ କମ୍ ବୋଲି ବନାଞ୍ଚଳ ଅଧିକାରୀ ରଞ୍ଜନ ମିଶ୍ର କହିଛନ୍ତି। ଏଥିରେ ପିପିଏଲ୍ ଟାଉନଶିପ୍ ପରିସରରେ ଥିବା ୧୬ ଜଳାଶୟରେ ୧୦,୦୬୦, ଜଟାଧାରମୁହାଁଣରେ ୧୫,୫୨୮, ହାଓ୍ବାଖାନାରେ ୧୧,୧୫୯ ଓ ପାରାଦୀପ ବନ୍ଦରଠାରେ ୨୩୭୬ ପକ୍ଷୀ ଆଶ୍ରୟ ନେଇଥିବା ଜଣାପଡ଼ିଛି। ପିପିଏଲ ପରିସରରେ ଗତ ୧୦ ବର୍ଷ ହେଲା ବିଦେଶାଗତ ପକ୍ଷୀଙ୍କ ସମାଗମ ହେଉଛି। ଏହି ପକ୍ଷୀ ସମ୍ଭାର ସମ୍ପର୍କରେ ପ୍ରକାଶିତ ପୁସ୍ତକକୁ ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ ବୋଲି କମ୍ପାନୀ ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ କହିଛନ୍ତି।