ଗାଜାରେ ରହିଛନ୍ତି ୫୦ ହଜାର ଗର୍ଭବତୀ, ଆସନ୍ତା ମାସରେ ୫,୫୦୦ ଜଣଙ୍କ ପ୍ରସବ ତାରିଖ, ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେରୁଜେଲମ,୨୮।୧୦ : ଇସ୍ରାଏଲ ପକ୍ଷରୁ ହମାସ ଉପରେ ଚାଲିଥିବା ପ୍ରତିଶୋଧ ପରାୟଣ କାର୍ଯ୍ୟ ମଧ୍ୟରେ ଖବର ପ୍ରକାଶ ପାଇଛି ଗାଜାରେ ପ୍ରାୟ ୫୦ ହଜାର ଗର୍ଭବତୀ ମହିଳା ଫସି ରହିଛନ୍ତି। କୁହାଯାଉଛି ଏହି ମହିଳାମାନଙ୍କ ମଧ୍ୟରୁ ୫,୫୦୦ ମହିଳା ଅଛନ୍ତି ଯେଉଁମାନେ ଆସନ୍ତା ମାସରେ ପ୍ରସବ କରିବେ। ରିପୋର୍ଟ ଆସିବା ପରେ ମିଳିତ ଜାତିସଂଘ ମହିଳାଙ୍କ ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି।

ମିଳିତ ଜାତିସଂଘ କହିଛି ଆଗାମୀ ୩୦ ଦିନ ମଧ୍ୟରେ ୫,୫୦୦ରୁ ଅଧିକ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ, ଜଣେ ଗର୍ଭବତୀ ମହିଳାଙ୍କର ଇସ୍ରାଏଲ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଏହା ପରେ ମଧ୍ୟ ଜରୁରୀକାଳୀନ ସିଜେରିଆନ ଅପରେଶନ ଦ୍ୱାରା ମହିଳାଙ୍କର ସଫଳତାର ସହ ପ୍ରସବ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗାଜାରେ ଫସି ରହିଥିବା ଅନେକ ଗର୍ଭବତୀ ମହିଳା ଅଛନ୍ତି ଯେଉଁମାନଙ୍କୁ ବିନା ଶଯ୍ୟାରେ ଡାକ୍ତରଖାନା ଚଟାଣରେ ପ୍ରସବ କରିବାକୁ ପଡିବ। ଇସ୍ରାଏଲର ଜାରି ଆକ୍ରମଣ ଯୋଗୁଁ ଗାଜାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡି ପଡିଥିବା କୁହାଯାଇଛି। ସ୍‌ଶହ ଶହ ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଏବଂ ଗର୍ଭବତୀମାନେ ସନ୍ତାନ ପ୍ରସବ ପାଇଁ ସୁରକ୍ଷିତ ଉପାୟ ଖୋଜୁଛନ୍ତି ।

ମିଳିତ ଜାତିସଂଘର ଜନସଂଖ୍ୟା ସେଲ କହିଛି ଡାକ୍ତରଖାନାଗୁଡ଼ିକରେ ଔଷଧ ଏବଂ ମୌଳିକ ସୁବିଧା ଯୋଗାଣରେ ଅଭାବ ରହିଛି। ଜାତିସଂଘ ଗର୍ଭବତୀ ମହିଳାମାନଙ୍କ ପାଇଁ ଜରୁରୀ ସ୍ବାସ୍ଥ୍ୟସେବା ଏବଂ ସୁରକ୍ଷା ପାଇଁ ଆହ୍ବାନ ଦେଇଛି। କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ନତାଲିଆ କେନ କହିଛନ୍ତି, ବହୁ ଗର୍ଭବତୀ ଆହତ ହୋଇଛନ୍ତି। ସେମାନଙ୍କ ପାଖରେ ଆବଶ୍ୟକ ଖାଦ୍ୟ ଅବା ସୁରକ୍ଷିତ ଆଶ୍ରୟ ସ୍ଥଳ ନାହିଁ।

Share