ଏନ୍‌ସିଆର୍‌ବି ରିପୋର୍ଟ ପ୍ରକାଶ: ଜେଲ ବିଭାଗରେ ୬୦୮ ପଦବୀ ଖାଲି

ଭୁବନେଶ୍ୱର,୩୦। ୮(ବ୍ୟୁରୋ): ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ କାରାଗାର ପରିସଂଖ୍ୟାନ ରିପୋର୍ଟ-୨୦୧୯ ଶନିବାର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟ ଜେଲ ବିଭାଗର ଖାଲି ପଡିଥିବା ପଦବୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ବଜେଟ୍‌ ଅନୁଦାନ ମଧ୍ୟ ହ୍ରାସ ପାଇଛି। ୨୦୧୮ରେ ଅନୁମୋଦିତ ଜେଲ୍‌ କର୍ମଚାରୀ ସଂଖ୍ୟା ୨୯୮୬ ଥିବାବେଳେ ୨୩୭୮ଜଣ ରହିଥିଲେ। ଫଳରେ ମୋଟ ୫୩୮ ପଦବୀ ଖାଲିପଡିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୬୦୮ରେ ପହଞ୍ଚତ୍ଛି। ବିଶେଷକରି ୨୦୧୮ରେ ଜେଲ (ଏକ୍‌ଜିକ୍ୟୁଟିଭ୍‌) କର୍ମଚାରୀଙ୍କ ସଂଖ୍ୟା ୨୦୧୧ ରହିଥିବାବେଳେ ୨୦୧୯ରେ ୧୯୬୨କୁ ହ୍ରାସ ପାଇଛି। ସେହିଭଳି ୨୦୧୯ରେ ଅନୁମୋଦିତ ଅଫିସର କ୍ୟାଡ଼ର ସଂଖ୍ୟା ୪୬୪ ଥିବାବେଳେ ରହିଛନ୍ତି ୨୫୫ଜଣ ଅର୍ଥାତ୍‌ ୨୦୯ ଅଫିସର ପୋଷ୍ଟ ଖାଲି ପଡିଛି। ଅନୁମୋଦିତ ଜେଲ ଅଧୀକ୍ଷକ ପଦବୀ ୯୨ ଥିବାବେଳେ ଅଛନ୍ତି ୯୧ଜଣ। ଅନୁମୋଦିତ ଆସିଷ୍ଟାଣ୍ଡ ଅଧୀକ୍ଷକ ପଦବୀ ୧୦୫ ଥିବାବେଳେ ଅଛନ୍ତି ମାତ୍ର ୫୫ ଜଣ। ସୁଧାର କର୍ମଚାରୀଙ୍କ ସଂଖ୍ୟା ୨୦୧୮ରେ ୧୨୦ ଥିବାବେଳେ ୨୦୧୯ରେ ଏହା ୧୦୮କୁ ହ୍ରାସ ପାଇଛି। ତେବେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଓ୍ବେଲଫେୟାର ଅଫିସରଙ୍କ ପଦବୀ ଅଧା ଖାଲି ପଡିଛି। ଅନୁମୋଦିତ ସଂଖ୍ୟା ୬୦ ଥିବାବେଳେ ୩୧ ଜଣ ଓ୍ବେଲ୍‌ଫେୟାର ଅଫିସର ଅଛନ୍ତି।

ଅନ୍ୟପକ୍ଷରେ ଜେଲ୍‌ରେ ଏକାଧିକ ମାନସିକ ରୋଗୀ ଅଛନ୍ତି। ଏଥିସହ ଦୀର୍ଘଦିନ ଧରି ଜେଲ୍‌ ଦଣ୍ଡ ଭୋଗିବା ସମୟରେ ବହୁ କଏଦୀ ମାନସିକ ଭାରସାମ୍ୟ ହରାଉଛନ୍ତି। ସେମାନଙ୍କ ପାଇଁ ୨୦୧୮ରେ ୪ ଅନୁମୋଦିତ ମନସ୍ତତ୍ତ୍ୱବିତ ପଦବୀ ରହିଥିବାବେଳେ ସରକାର ମାତ୍ର ଜଣଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ୨୦୧୯ରେ ଏହି ପଦବୀ ସଂଖ୍ୟା ୩କୁ ହ୍ରାସ କରାଯାଇଥିବାବେଳେ ସେହି ଜଣେ ହିଁ କାର୍ଯ୍ୟ କରୁଛନ୍ତି। ସାମାଜିକ କର୍ମୀଙ୍କ ଅନୁମୋଦିତ ୧୦୧ ପଦବୀ ଥିବାବେଳେ ୭୬ଜଣ ଅଛନ୍ତି। ତେବେ ରାଜ୍ୟ ସରକାର କାରଗାରରେ ଡାକ୍ତର ପଦବୀ ସଂଖ୍ୟା ବୃଦ୍ଧି କରିଛନ୍ତି। ୯୪ଟି ଅନୁମୋଦିତ ଡାକ୍ତରୀ ପଦବୀ ଥିବାବେଳେ ୨୦୧୮ରେ ୪୨ଜଣ କାର୍ଯ୍ୟ କରୁଥିବାବେଳେ ୨୦୧୯ରେ ୬୧କୁ ବୃଦ୍ଧି ପାଇଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଲା, ଓଡ଼ିଶାର ସମ୍ବଲପୁରରେ ଏକମାତ୍ର ମହିଳା କାରଗାର ରହିଛି। କିନ୍ତୁ ସେଠାରେ କୌଣସି ଜଣେ ହେଲେ ମେଡ଼ିକାଲ ଷ୍ଟାଫ୍‌ ନ ଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି।

ଅନ୍ୟପକ୍ଷରେ ୨୦୧୮-୧୯ ତୁଳନାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା ଜେଲ ନିର୍ଦ୍ଦେଶାଳୟ କମ୍‌ ବଜେଟ ପାଇଛି। ୨୦୧୮ରେ ରାଜ୍ୟ ଜେଲ ବିଭାଗ ପାଇଁ ମୋଟ ମଞ୍ଜୁରୀପ୍ରାପ୍ତ ବଜେଟ ୨୦୨.୪ କୋଟି ଥିବାବେଳେ ୨୦୧୯ରେ ୧.୩ ପ୍ରତିଶତ କମ୍‌ ଅର୍ଥାତ୍‌ ୧୯୯.୭କୋଟିକୁ ହ୍ରାସ ପାଇଛି। ଏହି ସମୟରେ ଜେଲ ବିଭାଗ ଅନୁମୋଦିତ ୧୯୯.୭ କୋଟି ଟଙ୍କା ମଧ୍ୟରୁ ୧୭୦.୫ କୋଟି ଟଙ୍କା ଖର୍ଚ୍ଚ କରିଛି। କହିବାକୁ ଗଲେ ମଞ୍ଜୁର ହେଉଥିବା ବଜେଟକୁ ରାଜ୍ୟ ଜେଲ ବିଭାଗ ଠିକ୍‌ ଭାବେ ଖର୍ଚ୍ଚ କରିବାରେ ବିଫଳ ହେଉଥିବା ଜଣାପଡ଼ୁଛି।

Share