Categories: ବାଣିଜ୍ୟ

ଭାରତରେ ୭୫ କୋଟି ଇଣ୍ଟରନେଟ୍‌ ଉପଭୋକ୍ତା

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ସଂଖ୍ୟା ୭୫ କୋଟି ଛୁଇଁଛି। ୧୯୯୫ରେ ପ୍ରଥମ ଥର ଲାଗି ଇଣ୍ଟରନେଟ ସେବା ଦେଶରେ ଆରମ୍ଭ କରାଯାଇଥିଲା। ସେବାର ଆରମ୍ଭକୁ ଏହା ମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ଦୁଇଗୁଣ ବଢ଼ିଛି। ଏହା ୪ ବର୍ଷ ତଳେ ୩୪ କୋଟି ରହିଥିଲା। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ ଦେଇଥିବା ଡାଟା ମୁତାବକ ଡିଜିଟାଲ ଇଣ୍ଡିଆ ପରେ ଉପଭୋକ୍ତାଙ୍କ ସଂଖ୍ୟାରେ ବିଶେଷ ବୃଦ୍ଧି ଘଟିଛି। ଦେଶ ମଧ୍ୟରେ ୫ କୋଟି ନ୍ୟାରୋ ବ୍ୟାଣ୍ଡ ଉପଭୋକ୍ତା ରହିଥିବା ବେଳେ ୬୯.୨ କୋଟି ବ୍ରଡ୍‌ ବ୍ୟାଣ୍ଡ ଉପଭୋକ୍ତା ରହିଛନ୍ତି। ସେହିଭଳି ୨.୩ କୋଟି ଓ୍ବେର ଭିତ୍ତିକ ଇଣ୍ଟରନେଟ ସୁଯୋଗ ଲାଭ କରୁଥିବା ବେଳେ ୭୨.୬ କୋଟି ଓ୍ବେରଲେସ୍‌ ଇଣ୍ଟରନେଟ୍‌ ଲାଭ କରୁଥିବା ଜଣାପଡିଛି। ଇଣ୍ଟରନେଟ ସେବା ଉପଭୋକ୍ତା ଥିବା ଶୀର୍ଷ ୫ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜରାଟ ଏବଂ କର୍ନାଟକ ରହିଛି। ସେହିଭଳି ସେବା ଯୋଗାଣକାରୀ କମ୍ପାନୀଗୁଡିକ ମଧ୍ୟରେ ୩୯.୮ କୋଟି ଗ୍ରାହକଙ୍କ ସହ ଜିଓ ଶୀର୍ଷରେ ରହିଛି। ସେହିଭଳି ଏୟାରଟେଲ ୧୭.୬ କୋଟି, ଭୋଡାଫୋନ ୧୩.୬ କୋଟି, ବିଏସ୍‌ଏନ୍‌ଏଲ୍‌ ୨.୯ କୋଟି ଏବଂ ଅନ୍ୟ କମ୍ପାନୀ ନିକଟରେ ୧.୨ କୋଟି ଗ୍ରାହକ ରହିଛନ୍ତି।

Share