ରହିଲେ ୮୫ କାଉନ୍‌ସିଲର, ୭ ନଗରପାଳ ପ୍ରାର୍ଥୀ

ଢେଙ୍କାନାଳ ଅଫିସ, ୧୦ା୩: ଢେଙ୍କାନାଳ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଯାଞ୍ଚ ପରେ ୨୩ ୱାର୍ଡର ୮୫ କାଉନ୍‌ଲସିଲର ଏବଂ ୭ ନଗରପାଳ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି। ସେହିପରି ୧୮ନଂ. ଓ୍ବାର୍ଡର କଂଗ୍ରେସ କାଉନ୍‌ସିଲର ପ୍ରାର୍ଥୀ ଲକ୍ଷ୍ମୀ ଦେହୁରୀଙ୍କ ମନୋନୟନ ପତ୍ର ନାକଚ ହୋଇଯାଇଛି। ଜାତିଗତ ପ୍ରମାଣପତ୍ର ଦେଖାଇ ନ ପାରିବାରୁ ତାଙ୍କର ନାମାଙ୍କନ ନାକଚ ହୋଇଥିବା ଜିଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୂର୍ବରୁ ଦଳ ୭ ଓ୍ବାର୍ଡରେ ପ୍ରାର୍ଥୀ ଦେଇପାରି ନ ଥିଲା। ଲକ୍ଷ୍ମୀଙ୍କ ନାମାଙ୍କନ ନାକଚ ପରେ କଂଗ୍ରେସ ଚଳିତ ୨୩ ଓ୍ବାର୍ଡ ମଧ୍ୟରୁ ମାତ୍ର ୧୫ଟିରେ ଲଢ଼ିବ ବୋଲି ସ୍ପଷ୍ଟ ହୋଇଛି।
ଅପରପକ୍ଷେ ନଗରପାଳ ପ୍ରାର୍ଥୀ ଭାବେ ବିଜେଡିର ଅନିମା ନାୟକ, ଭାଜପାର ଜୟନ୍ତୀ ପାତ୍ର, କଂଗ୍ରେସର ସ୍ମିତାରାଣୀ ସାମଲ, ଏଏପିର ସୋନାଲି ରାଉତ, ଓଜେପିର ରାଜଲକ୍ଷ୍ମୀ ବେହେରା, ସ୍ବାଧୀନ ପ୍ରାର୍ଥୀ ଗୁଡିଆ ଶର୍ମା ଏବଂ ମାଳତି ପାଣିଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ବୁଧବାର ଅପରାହ୍ନ ୩ଟା ଯାଏ ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।